ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ । ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ବାରାଣାସୀରୁ ଚଳିତ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆଜି ପ୍ରକାଶ ପାଇଥିବା ଦଳର ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ ମୋଟ 18 ରାଜ୍ୟର 195 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ 2 ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ଏକାଧିକ ହଇପ୍ରୋଫାଇଲ ଆସନରେ ପୂର୍ବ ହେଭିଓ୍ବେଟଙ୍କୁ ଅପରିବର୍ତ୍ତିତ ରଖିଛି ଦଳ ।
ଗୁରୁବାର ରାତି ତମାମ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ 195 ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ହେଭିଓ୍ବେଟଙ୍କ ନାମ ମଧ୍ୟ ରହିଛି । ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତଥର ଦଳ ପୁଣି ଥରେ ବାରାଣାସୀରୁ ଲଢିବାକୁ ଯାଉଛନ୍ତି ।
ଦଳ ଏହି ଥର ବହୁ ହେଭିଓ୍ବେଟଙ୍କ ଆସନ ଅପରିବର୍ତ୍ତିତ ରହିଛି । ଦଳର ଦ୍ବିତୀୟ ପ୍ରଭାବଶାଳୀ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବଥର ପରି ଗୁଜୁରାଟର ଗାନ୍ଧୀନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ । ଉତ୍ତର ପ୍ରଦେଶର ଆମେଠୀରୁ ପୁନର୍ବାର ସ୍ମୃତି ଇରାନୀଙ୍କୁ ଦଳ ଟିକେଟ ଦେଇଛି । ଦିବଙ୍ଗତ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବଂସୁରୀ ସୌରାଜ ମଧ୍ୟ ଚଳିତ ଥର ଟିକେଟ ଦେଇଛି ଦଳ ।
ମୋଟ 34 କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଆଜି ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ 28 ଜଣ ମହିଳା, 50 ବର୍ଷରୁ କମ ଆୟୁବର୍ଗର 47 ଯୁବ ପ୍ରାର୍ଥୀ ରହିଛନ୍ତି । ସେହିପରି ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’ରୁ 47 ଜଣ ପ୍ରାର୍ଥୀ ରହିଛନ୍ତି । ଚଳିତ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ 51 ପ୍ରାର୍ଥୀ ରହିଛନ୍ତି । ତା’ ପଛକୁ 20 ପ୍ରାର୍ଥୀଙ୍କ ସହ ପଶ୍ଚିମବଙ୍ଗସ ଦ୍ବିତୀୟ ସ୍ଥାନରେ ରହିଛି । ଦିଲ୍ଲୀରେ 5 ଆସନରେ ପ୍ରାର୍ଥୀ ଦେଇଛି ଦଳ । ଏକାଧିକ ରାଜ୍ୟରେ ଚଳିତ ପର୍ଯ୍ୟାୟରେ ବିଜେପି ଖାତା ଖୋଲିନି । ତେଣୁ ସେଠାରେ ଆସନ୍ତା ପର୍ଯ୍ୟାୟକୁ ଅପେକ୍ଷା କରିବାକୁ ହେବ । ମାର୍ଚ୍ଚ 6 ତାରିଖରେ ଦଳର ଦ୍ବିତୀୟ ପର୍ଯ୍ୟାୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ