ଲକ୍ଷ୍ନୌ: ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିଲେ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଚଳିତବର୍ଷ ଜାନୁଆରୀ 22 ତାରିଖରେ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ତେବେ ଖୁବଶୀଘ୍ର ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ନିର୍ମାଣ କମିଟି ମୁଖ୍ୟ ନୃପେନ୍ଦ୍ର ମିଶ୍ରା ।
କେତେ ସରିଛି କାମ:-
ରାମ ମନ୍ଦିର ପରିସରରେ ମୋଟ 5ଟି ଶିଖର ରହିବ । ସେଥିମଧ୍ୟରୁ ମୁଖ୍ୟ ମନ୍ଦିରକୁ ବାଦ ଦେଲେ ତିନି ଶିଖର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି । ମନ୍ଦିରର 5ଟି ମଣ୍ଡପ ଓ ଗର୍ଭଗୃହ କାର୍ଯ୍ୟ ଶେଷ ହୋଇ ରତ୍ନ ସିଂହାସନରେ ପ୍ରଭୁ ରାମଲାଲାଙ୍କ ସଂସ୍ଥାପନ ସରିଛି । ମାତ୍ର ମୁଖ୍ୟ ମନ୍ଦିରର ଶିଖର ବା ଚୂଡା ନିର୍ମାଣ କାର୍ଯ୍ୟ ଜାରି ରହିଛି । ମୁଖ୍ୟ ମନ୍ଦିରର ଉଚ୍ଚତା 161 ଫୁଟ୍ ନିର୍ଦ୍ଧାରିତ କରାଯାଇଛି । ଯାହା ଏବେ ନିର୍ମାଣାଧୀନ ରହିଛି । ଜାନୁୟାରୀ 22 ତାରିଖରେ ପ୍ରାଣପ୍ରତିଷ୍ଠା ପରେ ଏବେ ରାମଲାଲାଙ୍କ ପୂଜାର୍ଚ୍ଚନା ଓ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ସହ ସମାନ୍ତରଳ ଭାବେ ନିର୍ମାଣ କାମ ମଧ୍ୟ ଜାରି ରହିଛି ।
ପ୍ରଧାନମନ୍ତ୍ରୀଙ୍କ ହସ୍ତରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା:-
ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ । ସଂଘ ପ୍ରମୁଖ ଡ.ମୋହନ ଭାଗବତ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତମାମ ବିଶ୍ବବ୍ୟାପୀ ସାଧୁସନ୍ଥ ଓ ବିଭିନ୍ନ ଧର୍ମର ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଭବ୍ୟ କାର୍ଯ୍ୟକ୍ରମରୁ ନିମନ୍ତ୍ରିତ ହୋଇଆସିଥିଲେ । କେବଳ ନିମନ୍ତ୍ରିତ ସାଧୁସନ୍ଥ ଓ ସେଲିବ୍ରିଟିଙ୍କ ଗହଣରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାପନ ହୋଇଥିଲା । ଏହାପରଠାରୁ ସାଧାରଣ ଦର୍ଶନ ଜାରି ରହିଛି । ସେତେବେଳେ ଏହି ପ୍ରତିଷ୍ଠାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା ।
ଅର୍ଦ୍ଧନିର୍ମିତ ମନ୍ଦିରକୁ ପ୍ରତିଷ୍ଠା ନେଇ ଦେଖାଯାଇଥିଲା ବିବାଦ:-
ମନ୍ଦିର ନିର୍ମାଣ ଶେଷ ହୋଇନଥିବାରୁ କାହିଁକି ଏହାକୁ ପ୍ରତିଷ୍ଠା କରାଯାଉଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହାକୁ ପ୍ରଥମେ 4 ଆଦିପୀଠର ଶଙ୍କରାଚାର୍ଯ୍ୟମାନେ ବିରୋଧ କରିଥିଲେ । ପରେ ଏହା ରାଜନୈତିକ ବିତର୍କର ପ୍ରସଙ୍ଗ ହୋଇଯାଇଥିଲା । ବିରୋଧୀ ଦଳ କଂଗ୍ରେସ ଏହାକୁ ରାଜନୈତିକ ସମାବେଶ ସଦୃଶ ଆୟୋଜନ କରାଯାଉଥିବା ଦର୍ଶାଇ ନିମନ୍ତ୍ରଣ ହୋଇଥିଲେ ସୁଦ୍ଧା ବର୍ଜନ କରିଥିଲା । ନିର୍ବାଚନ ପୂର୍ବରୁ ଏହାକୁ ତରବରିଆ ଭାବେ ରାଜନୈତିକ ଲାଭ ପାଇବା ପାଇଁ ମୋଦି ସରକାର ପ୍ରତିଷ୍ଠା କରିଥିବା ଏକାଧିକ ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏବେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହଥିବା ବେଳେ ଏହା ଚଳିତବର୍ଷ ଶେଷ ସୁଦ୍ଧା ଶେଷ ହେବା ନେଇ ନିର୍ମାଣ କମିଟି ମୁଖ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ