ନୂଆଦିଲ୍ଲୀ: ଦେଶର ଅନ୍ୟତମ ଚର୍ଚ୍ଚିତ ତଥା ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ଆଜି ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ଦକ୍ଷିଣପନ୍ଥୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ପୁଣିଥରେ ପଛରେ ପକାଇ ମିଳିତ ବାମମଞ୍ଚ ପ୍ରାର୍ଥୀ ଧନଞ୍ଜୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଧନଞ୍ଜୟ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ (AISA) ପକ୍ଷରୁ ସଂସଦର ସଭାପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଫଳାଫଳ ଆସିବା ପରେ କ୍ୟାମ୍ପସରେ ବାମ ସଂଗଠନର ଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।
‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନବନିର୍ବାଚିତ ଛାତ୍ର ସଂସଦ ସଭାପତି ଧନଞ୍ଜୟ କହିଛନ୍ତି, ଜେଏନୟୁର ପ୍ରତିଷ୍ଠାକୁ କ୍ଷୂର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଉଛି । ଏକାଧିକ ଷଡଯନ୍ତ୍ର ଜାରି ରହିଛି । ବିଶ୍ବବିଦ୍ୟାଳୟ ଉପରେ ଭ୍ରମିତ କରିବା ପରି ଚଳଚିତ୍ର ନିର୍ମାଣ କରାଯାଇଛି । ସରକାରକୁ ସମାଲୋଚନା କରୁଥିବା ଜେଏନୟୁର ଛାତ୍ରଙ୍କୁ ଗୁଳି ମାରିଦେବା ପାଇଁ ମଧ୍ୟ କୁହାଯାଉଛି । କ୍ୟାମ୍ପସରେ ଛାତ୍ରଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭାବନା ଭାଙ୍ଗିବାକୁ ପ୍ରୟାସ କରାଯାଉଛି । ଏବେବି ବିଶ୍ବବିଦ୍ୟାଳୟରେ ପର୍ଯ୍ୟାପ୍ତ ଭତ୍ତିଭୂମିର ବିକାଶ ହୋଇପାରିନି । ସାରା ଦେଶରୁ ଗରିବ, ବଞ୍ଚିତ ଓ ଦଳିତ ଛାତ୍ରଛାତ୍ରୀ ଜେଏନୟୁରେ ପାଠ ପଢିବାକୁ ଚାହାନ୍ତି । ସେହି ଲକ୍ଷ୍ୟ ନେଇ ସେମାନେ ଦିଲ୍ଲୀ ଆସୁଛନ୍ତି । ଏସମସ୍ତ ବିଷୟରେ ସେ କାମ କରିବେ । ଜେଏନୟୁ ଦେଶକୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିବ । ଜେଏନୟୁ ହିଁ ଦେଶକୁ ବଞ୍ଚାଇବା ପାଇଁ ସ୍ବର ହେବ ।
ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିରରେ ପ୍ରଥମ ହୋଲି ଉତ୍ସବ ପାଇଁ ସ୍ବତନ୍ତ୍ର ନୀତିକାନ୍ତି, ଫଗୁ ଖେଳିଲେ ଶ୍ରଦ୍ଧାଳୁ - First Holi Celebrations At Ayodhya
ସେହିପରି ସେ କେନ୍ଦ୍ର ସରକାର ବିରୋଧରେ ମଧ୍ୟ ବର୍ଷିଛନ୍ତି ଧନଞ୍ଜୟ । ମଣିପୁର ହିଂସା ଠାରୁ ନେଇ ବିଭିନ୍ନ ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଛାତ୍ରଶକ୍ତି ଏହା ବିରୋଧରେ ସ୍ବର ଉଠାଇବା ଜାରି ରଖିବ । ଏହା ଜେଏନୟୁରୁ ହିଁ ଆରମ୍ଭ ହେବ ବୋଲି କହିଛନ୍ତି । ସେହିପରି ଦକ୍ଷିଣପନ୍ଥୀ ଛାତ୍ର ସଂଗଠନ ‘ଏବିଭିପି’ର ପରାଜୟ କାରଣରେ ଧନଞ୍ଜୟ କହିଛନ୍ତି, ସେମାନେ ପ୍ରଶାସନ ସହ ରହିଛନ୍ତି, ମାତ୍ର ଛାତ୍ରଛାତ୍ରୀଙ୍କ ସହ ନୁହେଁ । ତେଣୁ ସେମାନଙ୍କୁ ପରାଜିତ ହେବାକୁ ପଡିଲା । କ୍ୟାମ୍ପସର ଉନ୍ନତି, ଛାତ୍ରଶକ୍ତିର ଉତ୍ଥାନ ସହ ଦେଶକୁ ରକ୍ଷା କରିବା ପାଇଁ ଜେଏନୟୁ ସ୍ବର ଉତ୍ତୋଳନ ଜାରି ରଖିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ