ETV Bharat / bharat

ବେଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିସୋଦିଆ - Manish Sisodia

author img

By ETV Bharat Odisha Team

Published : May 2, 2024, 1:10 PM IST

ବେଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିସୋଦିଆ
ବେଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିସୋଦିଆ

AAP's Manish Sisodia moves Delhi HC for bail: ମଦ ଘୋଟାଲା ମାମଲାରେ ବେଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିସୋଦିଆ । ମାମଲା ଖାରଜ କରିଦେଇଥିଲେ ତଳକୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ଏପର୍ଯ୍ୟନ୍ତ ବେଲ ପାଇନଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ତଳକୋର୍ଟ ତାଙ୍କୁ ବେଲ ପ୍ରଦାନ କରିବା ପାଇଁ ମନା କରିବା ସହ ଆବେଦନ ଖାରଜ କରିବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି । ଏହି ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ସିସୋଦିଆ ।

ବରିଷ୍ଠ ଆଇନଜୀବୀ ରଜତ ଭରଦ୍ବାଜ ଓ ମହମ୍ମଦ ଇର୍ସାଦଙ୍କ ଦ୍ବାରା ଏହି ଆବେଦନ କରାଯାଇଛି । ଏହାକୁ ଜରୁରୀ ଶୁଣାଣି କରିବା ପାଇଁ ଦାଏର ମାମଲାରେ ଅନୁରୋଧ ମଧ୍ୟ କରାଯାଇଥିଲା । ଆଜି ମଧ୍ୟାହ୍ନ ସୁଦ୍ଧା ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ଦାଖଲ କରିବା ପରେ ଆସନ୍ତାକାଲି ଏହି ମାମଲାର ଶୁଣାଣି ନେଇ ବିଚାର କରାଯାଇପାରେ ବୋଲି ସୂଚନା ମିଳିଛି । ଗତମାସ (ଏପ୍ରିଲ 30) ରେ ସିସୋଦିଆଙ୍କ ବେଲ ଆବେଦନର ଶୁଣାଣି କରିଥିଲେ ରାଉଜ ଆଭେନ୍ୟୁ କୋର୍ଟ । ଜାମିନ ପାଇଁ ମନା କରିବା ସହ ମାମଲା ଖାରଜ କରିଦିଆଯାଇଥିଲା । ଉଭୟ ଅନ୍ତରୀଣ କିମ୍ବା ନିୟମିତ ବେଲ ମିଳିପାରିବ ନାହିଁ ବୋଲି କୋର୍ଟ ଟିପ୍ପଣୀ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଆକ୍ସନ, ଦିଲ୍ଲୀ ମହିଳା ଆୟୋଗରୁ 223 କର୍ମଚାରୀଙ୍କୁ କଲେ ବରଖାସ୍ତ - Delhi Women Commission

2023 ଫେବୃଆରୀ 26 ରେ ଗିରଫ ହୋଇଥିଲେ ସିସୋଦିଆ । ପ୍ରଥମେ ସିବିଆଇ ଗିରଫ କରିଥିଲା । ଏହା ପରେ ତାଙ୍କୁ ଜେଲ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା । ସେବେ ଠାରୁ ସେ ଏପର୍ଯ୍ୟନ୍ତ ଅନ୍ତରୀଣ କିମ୍ବା ନିୟମିତ ବେଲ ପାଇବାରେ ସଫଳ ହୋଇନାହାନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଗିରଫ ହୋଇଛନ୍ତି । ସମାନ ମାମଲାରେ ବିଆରଏସ ନେତ୍ରୀ ତଥା ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ଏପର୍ଯ୍ୟନ୍ତ ଏହି ମାମଲାରେ କେବଳ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବୋଚ୍ଚ କୋର୍ଟରୁ ବେଲ ପାଇବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.