ହାଇଦ୍ରାବାଦ:ଦିନକୁ ଦିନ ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା । କହିବାକୁ ଗଲେ ବର୍ତ୍ତମାନ ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି । ତେବେ ଏହି ରୋଗ ନେଇ ଜର୍ମାନ ବୈଜ୍ଞାନିକମାନେ ଏକ ଦାବି କରିଛନ୍ତି । ଟାଇପ-2 ମଧୁମେହ ଚିକିତ୍ସାରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି କହିଛନ୍ତି ବୈଜ୍ଞାନିକ । ଟାଇପ୍-୨ ମଧୁମେହ ରୋଗୀମାନେ ପ୍ରତିଦିନ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିବା ଦ୍ବାରା ମଧୁମେହ ରୋଗର ଚିକିତ୍ସାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି । ଏକ ଚିକିତ୍ସକୀୟ ଅଧ୍ୟୟନ ପରେ ଜର୍ମାନ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି ।
ଅନୁସନ୍ଧାନକାରୀମାନେ ୟୁରୋପୀୟ ୟୁନିଅନର ବାର୍ଷିକ ବୈଠକରେ କହିଛନ୍ତି ଯେ, ପ୍ରାକୃତିକ ଏବଂ କୃତ୍ରିମ ଆଲୋକ ଉପରେ ଅଧ୍ୟୟନ କରାଯାଇଥିଲା । ଟାଇପ୍-୨ ମଧୁମେହ ରୋଗୀଙ୍କୁ ଦୁଇଟି ଭିନ୍ନ ଗୋଷ୍ଠୀରେ ରଖାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ପ୍ରାକୃତିକ ଆଲୋକ ସଂସ୍ପର୍ଶ ସହିତ ଜଡିତ ରଖାଯାଇଥିବା ବେଳେ ଅନ୍ୟ ଗୋଷ୍ଠୀଙ୍କୁ କୃତ୍ରିମ ଆଲୋକର ସଂସ୍ପର୍ଶରେ ରଖାଯାଇଥିଲା ।
ବିଶ୍ଲେଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା: ଏହି ସମୟ ମଧ୍ୟରେ ଉଭୟ ଗୋଷ୍ଠୀରେ ଘଟୁଥିବା ପରିବର୍ତ୍ତନଗୁଡିକୁ ବିଶ୍ଳେଷଣ କରାଯାଇଥିଲା । ତେବେ ରୋଗୀମାନଙ୍କ ଚିକିତ୍ସାରେ ପ୍ରାକୃତିକ ଆଲୋକ ସହାୟକ ହୋଇଥାଏ ବୋଲି ତଥ୍ୟ ସାମ୍ନାକୁ ଆସିଥିଲା । ନେଦରଲ୍ୟାଣ୍ଡର ମାଷ୍ଟ୍ରିଚ୍ ୟୁନିଭରସିଟିର ପ୍ରଫେସର ଇଭୋ ହାବେଟ୍ସ କହିଛନ୍ତି, ''ଶରୀର ଜାଗ୍ରତ ଏବଂ ଶୟନ ସମୟରେ ଆଭ୍ୟନ୍ତରରେ କେତେକ ପରିବର୍ତ୍ତନ ଘଟିଥାଏ । ଯାହା ଟାଇପ-2 ଡାଇବେଟିସ ଭଳି କେତେକ ମେଟାବୋଲିକ ରୋଗ ସହିତ ସମ୍ପୃକ୍ତ ଅଟେ । ପ୍ରାକୃତିକ ଆଲୋକରେ ସିର୍କାଡିୟନ କ୍ଲକର ଏକ ବଳିଷ୍ଠ ପ୍ରକ୍ରିୟା ବା ପରିବେଶୀୟ ସଙ୍କେତ । କିନ୍ତୁ ଅଧିକାଂଶ ଲୋକ ଦିନ ସମୟରେ ଘରେ କିମ୍ବା ଅଫିସରେ ରହି କୃତ୍ରିମ ଆଲୋକର ସମ୍ମୁଖୀନ ହୁଅନ୍ତି ।"