ଓଡିଶା

odisha

ରାୟ ମିଳିବାର ୧୦ ବର୍ଷ ପରେ ବି ମିଳୁନି କ୍ଷତିପୂରଣ: ଆଶାରେ ଆଦିବାସୀ ଝିଅ ଆଶ୍ରିତା

By

Published : Dec 21, 2022, 9:53 AM IST

ଦୁର୍ଘଟଣାକୁ ବିତିଗଲା ୧୪ ବର୍ଷ । ସେତେବେଳେ ଆଶା ଥିଲା, ଆଜି ବି କ୍ଷତିପୂରଣ ଆଶାରେ ବସିଛନ୍ତି ଆଶ୍ରିତା । ଦୁର୍ଘଟଣାରେ ଗୋଟିଏ ହାତ ହରାଇ ଦାରିଦ୍ର୍ୟ ମଧ୍ୟରେ ଦୁର୍ବିସହ ଜୀବନ ବିତାଉଛନ୍ତି । ଝିଅର ଦୁର୍ଦ୍ଦଶା ଦେଖି ମାଆ ଆରପାରିକୁ ଚାଲିଗଲାଣି । କିନ୍ତୁ କୋର୍ଟଙ୍କ ରାୟ ମିଳିବାର ୧୦ ବର୍ଷ ପରେ ମଧ୍ୟ ଟଙ୍କାଟିଏ କ୍ଷତିପୂରଣ ପାଇଲେନି ପୀଡିତା । ଅଧିକ ପଢନ୍ତୁ

ରାୟ ମିଳିବାର ୧୦ ବର୍ଷ ପରେ ବି ମିଳୁନି କ୍ଷତିପୂରଣ: ଆଶାରେ ଆଦିବାସୀ ଝିଅ ଆଶ୍ରିତା
ରାୟ ମିଳିବାର ୧୦ ବର୍ଷ ପରେ ବି ମିଳୁନି କ୍ଷତିପୂରଣ: ଆଶାରେ ଆଦିବାସୀ ଝିଅ ଆଶ୍ରିତା

ଆଶାରେ ଆଦିବାସୀ ଝିଅ ଆଶ୍ରିତା

ରାଉରକେଲା:ସତରେ ଦଇବ କେଡେ ନିଷ୍ଠୁର । ପରିବାର ପ୍ରତିପୋଷଣ ପାଇଁ ୧୭ ବର୍ଷ ବୟସରେ ମୂଲ ଲାଗିଥିଲେ ନାବାଳିକା । ଫ୍ୟାକ୍ଟ୍ରିରେ କାମ କରୁ କରୁ ମେସିନରେ ହାତ କଟିଗଲା । ଝିଅର ଏପରି ଦୁର୍ଦ୍ଦଶା ସହିନପାରି ଚିନ୍ତାରେ ମାଆ ଆରପାରିକୁ ଚାଲିଗଲେ । ହେଲେ ସବୁଠୁ ବିଡମ୍ବନାର ବିଷୟ ଯେ, କୋର୍ଟଙ୍କ ରାୟ ପରେ ମଧ୍ୟ ଆଜି ଯାଏଁ ପୀଡିତାଙ୍କୁ ମିଳିପାରି ନାହିଁ କ୍ଷତିପୂରଣ । ବର୍ଷ ବର୍ଷ ହେଲାଣି ନ୍ୟାୟ ଅପେକ୍ଷାରେ ଥିବା ପୀଡିତା ଏବେ ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଇଲେଣି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପାଣ୍ଡରାଟୋଲି ଗ୍ରାମରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ଏଠାରେ ଆଶ୍ରିତା ଲାକ୍ରା ନାମକ ଜଣେ ଆଦିବାସୀ ଯୁବତୀ ଦୁର୍ଘଟଣାରେ ହାତ ହରାଇବା ପରେ ଦାରିଦ୍ର୍ୟର ତାଡନା ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ।

ପ୍ରତିଶୃତି ପାଲଟିଲା ପାଣିର ଗାର

ଆଶ୍ରିତାଙ୍କ ବାପା ଦିନ ମଜୁରୀଆ । ପରିବାରର ଆର୍ଥିକ ଅସ୍ବଚ୍ଛଳତା ଯୋଗୁଁ ୨୦୦୮ ମସିହାରେ ବିଲେଇମୁଣ୍ଡାରେ ଥିବା ରାଧାକୃଷ୍ଣ ରାଇସ୍ ମିଲରେ ଏହି ଯୁବତୀ ଶ୍ରମିକ ଭାବେ କାମ କରୁଥିଲେ । ଦିନେ କାମ କରୁଥିବା ସମୟରେ କନଭେୟର ବେଲ୍ଟ ରୋଲର ମଧ୍ୟରେ ତାଙ୍କର ଡାହାଣ ହାତ ଫସିଗଲା । ଫଳରେ ହାତଟି କହୁଣୀ ତଳୁ ସମ୍ପୂର୍ଣ୍ଣ କଟିଗଲା । ଝିଅର ଏଭଳି ଅବସ୍ଥା ସହିନପାରି ଚିନ୍ତାରେ ମାଆ ଆରପାରିକୁ ଚାଲିଗଲେ । ଦୁର୍ଘଟଣା ପରେ ରାଇସ ମିଲ ଫ୍ୟାକ୍ଟ୍ରି ମାଲିକ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଶ୍ରିତା ଦିବ୍ୟାଙ୍ଗ ହୋଇ ବର୍ଷ ବର୍ଷ ଧରି ଘର ବସିଲେ ସିନା କିନ୍ତୁ ମାଲିକଙ୍କ ପ୍ରତିଶ୍ରୁତି ସେମିତି ପ୍ରତିଶ୍ରୁତିରେ ରହିଗଲା ।

ସହାୟତା ଅପେକ୍ଷାରେ 14 ବର୍ଷ

ପୀଡିତା ଯୁବତୀ କ୍ଷତିପୂରଣ ବାବଦକୁ ଟଙ୍କାଟିଏ ପାଇଲେ ନାହିଁ । ତେଣୁ ଯୁବତୀ ଏବଂ ପରିବାର ଲୋକେ ୨୦୧୨ ମସିହାରେ ରାଉରକେଲା ଶ୍ରମ କୋର୍ଟରେ ମାମଲା ରୁଜୁ କଲେ । ଏହାପରେ କୋର୍ଟ ଶୁଣାଣି କରି କ୍ଷତିପୂରଣ ବାବଦକୁ ପୀଡିତାଙ୍କୁ ୨ ଲକ୍ଷ ୫୨ ହଜାର ୪୩୨ ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦେଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ କେବଳ ରହିଯାଇଛି କାଗଜ କଲମରେ । ଗୋଟିଏ ହାତରେ ସଂଘର୍ଷ କରୁଥିବା ଆଶ୍ରିତା ୧୪ ବର୍ଷ ହେଲାଣି ହେଲାଣି କ୍ଷତିପୂରଣ ପାଇବା ପାଇଁ ଚାହିଁ ବସିଛନ୍ତି ।

କ୍ଷତିପୂରଣ ମିଳିବାରେ କଣ ସାଜିଛି କଣ୍ଟା

କ୍ଷତିପୂରଣ ମିଳିବାରେ କେଉଁଠି ରହିଛି ଅବହେଳା ? ସରକାରୀ ବାବୁଙ୍କ ଅବହେଳା ନା ଫ୍ୟାକ୍ଟ୍ରି ମାଲିକଙ୍କ ପାଇଁ ଏବେ ବି କ୍ଷତିପୂରଣରୁ ବଞ୍ଚିତ ପୀଡିତା ? ଏହି ଘଟଣା ବାବଦରେ ଶ୍ରମ ବିଭାଗକୁ ପଚାରିବାରୁ ଉତ୍ତର ଆସୁଛି ଯେ, ଆମେ ସବୁ କାମ ସାରିଦେଇଛୁ ହେଲେ ଜିଲ୍ଲାପାଳଙ୍କ ପାଖରେ ଫାଇଲ ଅଟକି ରହିଛି । ସେପଟେ ଏନେଇ ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେଣୁ ଯଦି ଜିଲ୍ଲା ପ୍ରଶାସନ ତାଙ୍କ କଥା ନଶୁଣେ ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ଆଶ୍ରିତା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details