ରାୟଗଡା: ରୂପାନ୍ତରଣରେ ସାମିଲ ହେଲା ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ପୀଠ । ମନ୍ଦିର ଚର୍ତୁପାର୍ଶ୍ବରେ ଥିବା ୬ ଏକର ୩୦ ଡିସିମିଲ ରେଳବାଇ ଜାଗାକୁ ମାଆ ମଝିଘରିଆଣୀ ମନ୍ଦିରକୁ ହସ୍ତାନ୍ତର କରାଯିବ । ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ରାୟଗଡାବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ ।
ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ରାଇସିଂ ବିଡିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ଗତ ୭ ତାରିଖରେ ରାୟଗଡା ଗସ୍ତରେ ଆସି ମଝିଘରିଆଣୀ ମନ୍ଦିର ପରିଦର୍ଶନ କରିଥିଲେ ଭିକେ ପାଣ୍ଡିଆନ । ଏହି ସମୟରେ ସଚିବଙ୍କୁ ମନ୍ଦିରର ଅନେକ ପ୍ରସଙ୍ଗ ସହ ଚର୍ତୁପାର୍ଶ୍ବରେ ଥିବା ରେଳବାଇ ବିଭାଗର ୬ ଏକର ୩୦ ଡିସିମିଲ ଜମିକୁ ମନ୍ଦିରକୁ ହସ୍ତାନ୍ତର କରିବାକୁ ଉଭୟ ରେଳବାଇ ଓ ରାଜ୍ୟ ସରକାର ସ୍ୱୀକୃତି ଦେବା ପାଇଁ କୁହାଯାଇଥିଲା ।
ମାତ୍ର ଉକ୍ତ ଜମିକୁ ମାଆଙ୍କ ନାମରେ ରେକର୍ଡ କରିବା ପାଇଁ ସରକାରୀ ନିୟମ ଅନୁସାରେ ଦେୟ ପରିମାଣ ଟଙ୍କା ସଂପୂର୍ଣ୍ଣ ଛାଡ କରିବା ପାଇଁ ସଚିବଙ୍କୁ ଟ୍ରଷ୍ଟ ବୋର୍ଡ ତରଫରୁ ଅନୁରୋଧ କରାଯାଇଥିଲା । ମନ୍ଦିରର ଆବଶ୍ୟକତାକୁ ଉପଲବ୍ଧ କରି ୫ଟି ସଚିବ ଉକ୍ତ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସରକାରୀ ନିୟମ ପ୍ରକାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଉ ସେହି ପ୍ରତିଶୃତିକୁ ସଚିବ ପୂରଣ କରିଥିବା କହିଛନ୍ତି ରାଇସିଂ ବିଡିକା । କ୍ୟାବିନେଟ୍ ବୈଠକରେ ରେଳବାଇ ଜାଗାର ସରକାରୀ ଦେୟ ଟଙ୍କାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଛାଡ କରିଛନ୍ତି । ଏଥିପାଇଁ ମାଆଙ୍କ ସମସ୍ତ ଶ୍ରଦ୍ଧାଳୁ ତଥା ରାୟଗଡାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।