ପୁରୀ: ଦ୍ରୁତଗତିରେ ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ସେ ଶନିବାର ସନ୍ଧ୍ୟାରେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ପ୍ରକଳ୍ପ କାର୍ଯ୍ୟ କେତେ ଦୂର ତ୍ବରାନ୍ବିତ ହୋଇଛି ଏବଂ କେତେଶୀଘ୍ର ଏହା ଶେଷ ହେବ ସେନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ ।
ସେହିପରି ଶ୍ରୀଦାଣ୍ଡ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର, ଶ୍ରୀସେତୁ କାର୍ଯ୍ୟ, ବଡ଼ଦାଣ୍ଡରେ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ନିର୍ମାଣ ଚାଲିଥିବା ଅଭ୍ୟର୍ଥନା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏହାପରେ ଦକ୍ଷିଣ ଦ୍ୱାର ପଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପଣ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ଫାଇଭ-ଟି ଅଧ୍ୟକ୍ଷ । ତେବେ ଫାଇଭ-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଏସପି କନୱର ବିଶାଳ ସିଂଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖୋଉଛି ସେନେଇ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ସେତିକି ଜୋରରେ ଆଗେଇ ଚାଲିଛି । ନୂଆବର୍ଷ ଆଉ ଖୁବ୍ କମ୍ ଦିନ ଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ମେଡିକାଲ ଛକ ଯାଏଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ବଡ଼ଦାଣ୍ଡକୁ ଟ୍ରାଫିକ ମୁକ୍ତ କରାଯାଇଛି । ନୂଆବର୍ଷ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଓବିସିସି ଜେନେରାଲ ମ୍ୟାନେଜର କହିଛନ୍ତି ।