ପୁରୀ:ପୁରୀରେ ଅଗ୍ନିକାଣ୍ଡ ଘଟଣା ଥମିବାର ନାଁ ଧରୁନି । ବଡଦାଣ୍ଡରେ ମାର୍କେଟ କମ୍ପ୍ଲେସ ଓ ନିଳାଦ୍ରୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ଏବେ ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଛି । ଆଜି ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ନିକଟରେ ଅଗ୍ନିକାଣ୍ଡ ଘଟିଛି । ରେଳ ଧାରଣା କଡ ଅଳିଆ ଗଦାରେ ନିଆଁ ଲାଗିଯିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଯାହାଫଳରେ ପୁଣି ଏକ ବଡ ଅଘଟଣ ଟଳି ଯାଇଛି ।
ସୂଚନା ମୁତାବକ, ଷ୍ଟେସନର ଏକ ନମ୍ବର ପ୍ଳାଟଫର୍ମରେ ଗୋଟିଏ ଇଞ୍ଜିନ ରହିଥିଲା । ସୌଭାଗ୍ୟବଶତଃ ଏଥିରେ ନିଆଁ ଲାଗି ନାହିଁ । ଅଗ୍ନିକାଣ୍ଡ ପରେ ଇଞ୍ଜିନକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିପରି ଏହି ସମୟରେ ଏକ ନମ୍ୱର ପ୍ଳାଟଫର୍ମରେ ଲୋକମାନେ ଟ୍ରେନ ଅପେକ୍ଷାରେ ଥିଲେ। ତେଣୁ ନିଆଁ ବ୍ୟାପିଥିଲେ ଭୟଙ୍କର ଅବସ୍ଥା ସୃଷ୍ଟି ହୋଇଥାନ୍ତା ବୋଲି ଆଶଙ୍କା କରାଯାଇଛି । ରେଲୱେ କର୍ମଚାରୀ ପ୍ରଥମେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ପୁରୀ ଷ୍ଟେସନ ଚାରିପାଖ ଖୋଲା ଥିବାବେଳେ ପ୍ଲାଟଫର୍ମ ନିକଟରେ ଅଳିଆ ରହିବା କେତେ ଦୂର ଠିକ୍ । ଯଦି ବଡ ଧରଣର ଅଗ୍ନିକାଣ୍ଡ ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି । ଆଜିର ଅଗ୍ନିକାଣ୍ଡ ଘଟଣା ରେଳବାଇର ଦାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।