ନୟାଗଡ଼:ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ । ଏହାରି ଭିତରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସରପଞ୍ଚ ପଦବୀ ପାଇଁ ୩ ଭାଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପରସ୍ପରର ବିରୋଧୀ ମତ ଦେଇ ଭୋଟ ହାତେଇବାକୁ କରୁଛନ୍ତି ପ୍ରୟାସ । ଏଭଳି ଏକ ରୋଚକ ଦୃଶ୍ୟ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ।
ସୁରେଶ ରାଉତ, ରମେଶ ପ୍ରସାଦ ରାଉତ, ଅଶୋକ କୁମାର ରାଉତଙ୍କ ମଧ୍ୟରେ ସରପଞ୍ଚ ଆସନ ପାଇଁ ଲଢ଼େଇ ହେବ । ୩ ଭାଇଙ୍କ ମଧ୍ୟରେ ହେଭି ଲଢେଇ ହେବ । ବିଭିନ୍ନ ରାଜନୈତିକ ଦଳର ପରୋକ୍ଷ ସମର୍ଥନରେ ୩ ଭାଇ ନିର୍ବାଚନକୁ ଓହ୍ଲାଇଛନ୍ତି । ୩ ଭାଇଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ହୋଇନାହାନ୍ତି । ନିର୍ବାଚନରେ ବିଭିନ୍ନ ସଂକେତ ପାଇ ଆରମ୍ଭ କରିଛନ୍ତି ପ୍ରଚାର ପ୍ରସାର । ଲୋକଙ୍କ ପାଖକୁ ଯାଇ ବିଭିନ୍ନ ପ୍ରତିଶୃତି ଦେବାରେ ଲାଗିପଡିଛନ୍ତି । ୩ ଭାଇ ନିଜ ନିଜ ସମର୍ଥକଙ୍କୁ ନେଇ ଏ ଦୁଆରରୁ ସେ ଦୁଆର ବୁଲି ଭୋଟ ମାଗୁଛନ୍ତି ।
କଇଁଫୁଲିଆ ପଞ୍ଚାୟତରେ ମୋଟ 13ଟି ୱାର୍ଡ ରହିଛି । 2011 ଜନ ଗଣନା ଅନୁସାରେ 3193 ଜନ ସଂଖ୍ୟା ଥିଲେ । ବର୍ତ୍ତମାନ ସମୁଦାୟ 2528 ଭୋଟର ଏବଂ ପ୍ରାୟ ୫ ହଜାର ଜନସଂଖ୍ୟାକୁ ନେଇ ପଞ୍ଚାୟତ ଗଠିତ । ଏମାନେ ମୋଟ ୭ ଭାଇ ହୋଇଥିବା ବେଳେ ଜଣେ ଭାଇ ଆରପାରିରେ । ଆଉ 6 ଜଣଙ୍କ ମଧ୍ୟରୁ 3 ଜଣ ଏବେ ନିର୍ବାଚନ ପାଇଁ ଲଢ଼ୁଛନ୍ତି । ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ୩ ଭାଇ ପରସ୍ପରକୁ ବିରୋଧ କରିବା ଏବଂ କ୍ଷମତା ପାଇଁ ରାଜନୈତିକ ମୈଦାନକୁ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୩ ଭାଇ ନିଜେ ଜିତିବା ନେଇ ଦୃଢ଼ ନିଶ୍ଚିତ ଅଛନ୍ତି । ସମସ୍ତେ ନିଜକୁ ଭଲ କହି ଅନ୍ୟ ବିରୋଧରେ ପ୍ରଚାର କରୁଛନ୍ତି ।
ରମେଶ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ପ୍ରସଙ୍ଗ କରି ଲୋକଙ୍କୁ ଭୋଟ ମାଗୁଛନ୍ତି । ପୂର୍ବତନ ସରପଞ୍ଚ ଅନେକ କୁକର୍ମ କରିଛନ୍ତି । ତାଙ୍କ 2 ଥର ସରପଞ୍ଚ କାର୍ଯ୍ୟକଳାପରେ ଜନସାଧାରଣ ଅସନ୍ତୋଷ ଅଛନ୍ତି । ତେଣୁ ତାଙ୍କୁ ଏଠୁ ବିତାଡି଼ତ କରିବା ପାଇଁ ସେ ସରପଞ୍ଚ ପ୍ରାର୍ଥୀ ହୋଇଥିବା କହିଛନ୍ତି । ଗରୀବ ଲୋକମାନେ ଚାଉଳ ପାଉନଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ଏବଂ ପିଠା ଯୋଜନାରେ ଦୁର୍ନୀତି, ମନରେଗାରେ ନକଲି ବିଲ କରି ଟଙ୍କା ହଡ଼ପ ଘଟଣାକୁ ପ୍ରସଙ୍ଗ କରି ଲୋକଙ୍କୁ ଭୋଟ ମାଗୁଛନ୍ତି । ଦୀର୍ଘ ଦିନ ହେବ ଲୋକଙ୍କ ସହ ଜଡିତ ରହିଆସିଛନ୍ତି ।