ଓଡିଶା

odisha

ମହାଶିବରାତ୍ରି: ୧୮୦୦ ଫୁଟ ଉଚ୍ଚ ବାବା ନସ୍କୋରିଆ ପୀଠରେ ଭକ୍ତଙ୍କ ଗହଳି

By

Published : Feb 18, 2023, 9:51 PM IST

ମହାଶିବରାତ୍ରି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟ ବାବା ନସ୍କୋରିଆ ପୀଠରେ ଭକ୍ତଙ୍କ ଭିଡ଼ ଜମିଛି । ପ୍ରାୟ ୧୮୦୦ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିରରେ ପଡୋଶୀ ରାଜ୍ୟର ଶ୍ରଦ୍ଧାଳୁମାନେ ମଧ୍ୟ ଆସି ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

Baba Naskoria temple
Baba Naskoria temple

ମହାଶିବରାତ୍ରି ୨୦୨୩: ବାବା ନସ୍କୋରିଆ ପୀଠରେ ଭକ୍ତଙ୍କ ଗହଳି

ରାଇରଙ୍ଗପୁର:ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଏନେଇ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶୈବ ପୀଠ ହୋଇଉଠିଛି ଚଳଚଞ୍ଚଳ । ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସୁଣ୍ଢଳ ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଥିବା ନସ୍କୋରିଆ ଶୈବ ପୀଠରେ ମଧ୍ୟ ମହାଶିବରାତ୍ରି ପାଳିତ ହୋଇଛି । ପାହାଡ଼ର ଗୁମ୍ଫାରେ ଆବିର୍ଭାବ ହୋଇଥିବା ଶିବ ଲିଙ୍ଗଙ୍କ ଦର୍ଶନ ଲାଗି ମନ୍ଦିରରେ ଜନ ସମାଗମ ହୋଇଛି ।

ଜିଲ୍ଲାର ସମସ୍ତ ଶୈବପୀଠ ମଧ୍ୟରୁ ଘଞ୍ଚ ଜଙ୍ଗଲ ଥିବା ପାହାଡ଼ ଉପରେ ଅବସ୍ଥିତ ନସ୍କୋରିଆ ଶୈବପୀଠ ଅନ୍ୟତମ । ଭଗବାନଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନେ ଏଠାରେ ବେଶ ପରିଶ୍ରମ କରିଥାନ୍ତି । ନସ୍କୋରିଆ ପାହାଡ଼ ମୟୂରଭଞ୍ଜର କପିଳାସ ଭାବେ ବେଶ ପରିଚିତ। ଏହି ପାହାଡ଼ର ଗୁମ୍ଫା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିବାରୁ ଏହି ପୀଠକୁ ନସ୍କୋରିଆ ଶୈବପୀଠ କୁହାଯାଇଥାଏ । ପ୍ରସିଦ୍ଧ ନସ୍କୋରିଆ ଶୈବ ପୀଠଟି ଜିଲ୍ଲାର ସଦର ମହକୁମା ବାରିପଦାରୁ ୯୬ କିମି ଓ ରାଇରଙ୍ଗପୁରରୁ ୧୩ କିମି ଦୂରରେ ଥିବା ନସ୍କୋରିଆ ପାହାଡ଼ ଉପରେ ଅବସ୍ଥିତ।

ମହାଶିବରାତ୍ରି ଅବସରରେରେ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଅତି କଷ୍ଟରେ ପାହାଡ଼ ଚଢ଼ି ବାବାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁମାନେ ମଧ୍ୟ ଏଠାକୁ ଛୁଟି ଆସିଛନ୍ତି । ପଡୋଶୀ ରାଜ୍ୟରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏହି ଶୈବପୀଠକୁ ଆସି ଭୋଳାଶଙ୍କରଙ୍କୁ ଆରାଧନା କରିଛନ୍ତି । ଫଳରେ ପାହାଡ଼ ଉପରେ ଥିବା ଏହି ଶୈବପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ନସ୍କୋରିଆ ଶୈବ ପୀଠରେ ପହଞ୍ଚିବା ପାଇଁ ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପ୍ରାକୃତିକ ଚଟାଣ ପଥ ଦେଇ ୧୮୦୦ ଫୁଟ ପାହାଡ଼ ଉପରକୁ ଚଢ଼ିବାକୁ ପଡେ। ଆଉ ପାହାଡ଼ର ଶୀର୍ଷରେ ଥିବା ପଥର ଗୁମ୍ଫାରେ ରହିଛି ବାବାଙ୍କ ପୀଠ। ଅନ୍ଧାର ସଂକୀର୍ଣ୍ଣ ପଥର ଗୁମ୍ଫାରେ ପଶି ବାବାଙ୍କୁ ଦର୍ଶନ କରିଥାନ୍ତି ଭକ୍ତ। ଏଠାରେ ଯିଏ ଯାହା ବି କାମନା କରିଥାଏ ତାହା ନିଶ୍ଚିତ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଏଣୁ ନିଜ ପରିବାରର ତଥା ମନର ସମସ୍ତ ମନବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଭକ୍ତମାନେ ଧାଇଁ ଆସିଥାନ୍ତି। ଏଠାକୁ ଆସୁଥିବା କୌଣସି ଭକ୍ତ କେବେ ବି ଖାଲି ହାତରେ ଫେରିନାହିଁ ବୋଲି କୁହାଯାଏ ।

ଏହା ବି ପଢନ୍ତୁ- Similipal witness death: ଶିମିଳିପାଳ ହାତୀପୋଡି ଘଟଣା, ପ୍ରତ୍ୟକ୍ଷଦର୍ଶୀଙ୍କୁ ହତ୍ୟା ଅଭିଯୋଗରେ ୩ ଗିରଫ

ଏହି ପୀଠର ମାହାତ୍ମ୍ୟକୁ ବୁଝି ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ବାବାଙ୍କର ସାନିଧ୍ୟ ଲାଭ କରିବା ପାଇଁ। ଭକ୍ତମାନେ ନିଜ ଜୀବନକୁ ବାଜି ଲଗାଇ ପାହାଡର ଅଙ୍କାବଙ୍କା ରାସ୍ତାରେ ମହାଶିବରାତ୍ରି ଅବସରରେ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତି ପାଇଁ ପ୍ରତ୍ୟେକ ବର୍ଷ ଧାଇଁ ଆସନ୍ତି । ବର୍ଷକୁ ଦୁଇଥର ମହାଶିବରାତ୍ରି ଓ ପଣା ସଂକ୍ରାନ୍ତି ବାବା ନସ୍କୋରିଆଙ୍କ ପୀଠରେ ବେଶ ଧୁମଧାମରେ ପାଳିତ ହୋଇଥାଏ । ଏହି ଦୁଇଟି ପର୍ବ ଏଠାରେ ବହୁ ଜାକଜକମରେ ପାଳିତ ହୁଏ।

ପାହାଡ଼ ସନ୍ଧିରେ ଶିବ ଲିଙ୍ଗ ଆବିର୍ଭାବକୁ ନେଇ ଅନେକ ଲୋକକଥା ରହିଛି । ନସ୍କୋରିଆ ପାହାଡ଼ରେ ଆବିର୍ଭୂତ ବାବାଙ୍କ ସ୍ବପ୍ନାଦେଶ ପ୍ରଥମେ ସୁଣ୍ଢଳ ଗ୍ରାମର ସିଦ୍ଧେଶ୍ବର ଧଳ ନାମକ ଜଣେ ଭୂମିଜ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପ୍ରାପ୍ତ ହୋଇଥିଲା । ସେ ପାହାଡ଼ ଗୁମ୍ଫାରେ ବାବାଙ୍କ ପୂଜାର୍ଚ୍ଚନା ସହ ଦୀର୍ଘ ବର୍ଷ ଧରି ସାଧନାରତ ରହିଥିଲେ। ସେତେବେଳ ନସକରିଆ ପାହାଡ଼ଟି ଘଞ୍ଚ ଜଙ୍ଗଲ ଏବଂ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଦିନେ ଅଚାନକ ସାଧନାରତ ସିଦ୍ଧେଶ୍ବର ଧଳଙ୍କୁ ବାବାଙ୍କ ସ୍ବପ୍ନାଦେଶ ପ୍ରାପ୍ତ ହେବାରୁ ସେଠାରେ ସେ ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ।

ସମୟକ୍ରମେ ସିଦ୍ଧେଶ୍ବରଙ୍କ ଦାୟାଦମାନେ ଓ ସୁଣ୍ଢଳ ଗ୍ରାମବାସୀ ନସ୍କୋରିଆ ପୀଠର ରକ୍ଷଣାବେକ୍ଷଣା କରି ଆସୁଛନ୍ତି। ଦୁଃଖର ବିଷୟ, ପ୍ରାକୃତିକ ନୈସର୍ଗିକ ଶୋଭାରାଜିରେ ପରିପୂର୍ଣ୍ଣ ନସ୍କୋରିଆ ଶୈବ ପୀଠଟି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ବିକାଶ ହୋଇପାରିନାହିଁ। ମୁଖ୍ୟ ରାସ୍ତାରୁ ୨୮୦୦ ଫୁଟ ଦୂରତ୍ବ ଓ ୧୮୦୦ ଫୁଟ ଉଚ୍ଚରେ ଥିବା ଏହି ଶୈବପୀଠକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ବିପଦପୂର୍ଣ୍ଣ ଭାବେ ଅଣଓସାରିଆ ପଥର ଚଟାଣ ରାସ୍ତାରେ ଯିବାକୁ ପଡେ।

ଶୈବ ପୀଠର ଉନ୍ନତିକରଣ, ପାହାଚ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଗଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଆହୁରି ଅନେକ ଧାର୍ମିକ ପର୍ଯ୍ୟଟକଙ୍କ ସମାଗମ ହୋଇପାରନ୍ତା । ପ୍ରଭୁ ଭୋଳାନାଥଙ୍କ ପ୍ରତି ଅତୁଟ ଶ୍ରଦ୍ଧା ଓ ବିଶ୍ବାସ ଭକ୍ତମାନଙ୍କୁ ଟାଣି ଆଣେ ଏହି ବିପଦପୂର୍ଣ୍ଣ ପାହାଡ଼ ଶିଖରକୁ। ହେଲେ ଭୋଳାନାଥଙ୍କ ଦୟାରୁ ଆଜି ପର୍ଯ୍ୟନ୍ତ ସେଠାରେ କୌଣସି ପ୍ରକାର ଅଘଟଣ ଘଟିନଥିଲେ ବି ଏହି ଶୈବପୀଠର ବିକାଶ କରାଗଲେ ପ୍ରତ୍ୟେକ ଦିନ ଭକ୍ତମାନେ ପ୍ରଭୁ ଭୋଳାନାଥଙ୍କ ସାନିଧ୍ୟ ଲାଭ କରିପାରନ୍ତେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details