ଲକ୍ଷ୍ନୌ: ତାଜମହଲ ପରିଦର୍ଶନରେ ଯାଇଥିବା ଦୁଇ ଓଡିଆ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଉଭୟଙ୍କୁ ଅପହରଣ କରାଯାଇଥିବା ଓ ମୁକ୍ତ କରାଯିବା ପାଇଁ ଅପହରଣକାରୀ ଫୋନ କରି ଟଙ୍କା ମାଗିଥିବା ପରିବାର ଲୋକେ ପୋଲିସରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଉତ୍ତର ପ୍ରଦେଶ ପୋଲିସ ସହ ଯୋଗାଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅପହରଣର ଶିକାର ହୋଇଥିବା ଦୁଇ ଯୁବକ କୋରାପୁଟର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରି ଛାତରୁ ଡେଇଁ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପହରଣରେ ସାମିଲ 3 ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ ମଧ୍ୟ କରିଛି ।
ଅପହରଣର ଶିକାର ହୋଇଥିବା ଦୁଇ ଓଡିଆ ଯୁବକ ହେଉଛନ୍ତି କୋରାପୁଟ ଜିଲ୍ଲାର ଜଗୁ ଓ ସୁନିଲ ମୁଦୁଲି । ସେମାନେ 21 ତାରିଖରେ ଉତ୍ତର ପ୍ରଦେଶ ଯାଇଥିବା ବେଳେ ସେଠାରେ ଅପହରଣର ଶିକାର ହୋଇଥିବା ଓ ଅପହରଣକାରୀ ଫୋନ କରି ଟଙ୍କା ମାଗିଥିବା ଉଭୟଙ୍କ ପରିବାର ସଦସ୍ୟ ପୋଲିସରେ ଅଭିଯୋଗ କରିଥିଲେ । ଏହା ପରେ ଓଡିଶା ପୋଲିସ ଉତ୍ତର ପ୍ରଦେଶ ପୋଲିସ ସହ ଯୋଗାଯୋଗ କରି ଉଭୟଙ୍କ ମୋବାଇଲ ନମ୍ବର ଦେଇଥିଲା । ଆଗ୍ରା ପୋଲିସ ଉଭୟଙ୍କ ମୋବାଇଲର ଲୋକେସନ ଟ୍ରାକ କରି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଆଗ୍ରାର ଟେଡି ବଗିଆ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଉଭୟ ଏବେ ସ୍ଥାନୀୟ ପୋଲିସ ହେପାଜତରେ ରହିଛନ୍ତି । 3 ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଜେରା କରୁଛି । ପ୍ରାଥମିକ ତଦନ୍ତରେ ଏହା ଏକ ଗଞ୍ଜେଇ କାରବାର ଡିଲ ପରି ମାମଲା ହୋଇଥିବା ଉତ୍ତର ପ୍ରଦେଶ ପୋଲିସ କହିଛି ।