ଓଡିଶା

odisha

ମହାପ୍ରୟାଣ ଗାଡି ଚାଳକଙ୍କୁ ଦରମା ନାହିଁ

By

Published : Jul 11, 2019, 1:35 AM IST

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ମୃତଦେହ ବାହକ ଗାଡି ଚାଳକଙ୍କୁ ମିଳି ନାହିଁ ବହୁ ମାସର ଦରମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ମୃତଦେହ ବାହକ ଗାଡି ଚାଳକଙ୍କୁ ବହୁ ମାସର ଦରମା ମିଳି ନାହିଁ । ଏପରିକି ଖରାପ ହୋଇଥିବା ଗାଡି ମରାମତି ହୋଇ ସାରିଥିଲେ ମଧ୍ୟ ସରକାରୀ ତତ୍ପରତା ଅଭାବରୁ ମରାମତି ଖର୍ଚ୍ଚ ମଧ୍ୟ ଦିଆଯାଇପାରିନାହିଁ । ତେଣେ ମହାପ୍ରୟାଣ ଗାଡିର ଆବଶ୍ୟକତା ଥିବାରୁ ଅସନ୍ତୋଷ ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମହାପ୍ରୟାଣ ଗାଡି ଚଳାଉଥିବା ପ୍ରବୀଣ କୁମାର କନ୍ଦପାନଙ୍କ କହିବାନୁଯାୟୀ, ଦୂର ଦୁରାନ୍ତରୁ ଆସି ଏଠାରେ ଚିକିତ୍ସିତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଘରେ ପହଞ୍ଚାଇବାର ନିରନ୍ତର ସେବା ଯୋଗାଇଆସୁଥିଲେ ହେଁ ତାଙ୍କୁ ଗତ ଚାରି ମାସର ଦରମା ମିଳିନାହିଁ । ବିନା ଦରମାରେ ପରିବାର ଚଳାଇବା ବେଶ କଷ୍ଟକର ହେଉଛି । ତେଣୁ ସେବା ଯୋଗାଇବାରେ ବ୍ୟାଘାତ ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି । ଅପରପକ୍ଷରେ ହସ୍ପିଟାଲର ଆଉ ଏକ ଶବ ବାହକ ଗାଡି 'ନିର୍ବାଣ' ଖରାପ ହୋଇ ଗ୍ୟାରେଜକୁ ଯାଇଛି । ଯାହାର ବିଲ ପଇଠ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ନା ମେଡିକାଲ କଲେଜ କରିବ ସେନେଇ ନିଷ୍ପତ୍ତି ହୋଇପାରୁନଥିବା ଯୋଗୁଁ ମରାମତି ସରିଥିଲେ ମଧ୍ୟ ଗାଡି ଫେରିପାରୁ ନାହିଁ କି କାର୍ଯ୍ୟରେ ଲାଗି ପାରୁ ନାହିଁ ।

ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଅଧିକ ମହାପ୍ରୟାଣ ଗାଡିର ଆବଶ୍ୟକତା ରହିଛି ବୋଲି ହସ୍ପିଟାଲ ପ୍ରଶାସନିକ ଅଧିକାରୀ ମଧୁସ୍ମିତା ନାୟକ ଜଣାଇଛନ୍ତି । ତେବେ ମଙ୍ଗଳବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତ୍ୟେକ ସିଏଚସିରେ ମହାପ୍ରୟାଣ ଗାଡି ଦେବାର ଘୋଷଣା କରିବା ପରେ ସରକାରଙ୍କ ତରଫରୁ ମେଡିକାଲ କଲେଜ ହସ୍ପିଟାଲକୁ ମଧ୍ୟ ଅଧିକ ଗାଡି ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

ଅପରପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ ଜିଲ୍ଲାର ସମସ୍ତ ୧୪ଟି ସିଏଚସିରେ ମହାପ୍ରୟାଣ ଗାଡିର ଆବଶ୍ୟକତା ରହିଛି ଓ ସରକାରଙ୍କ ଘୋଷଣା କାର୍ଯ୍ୟକାରୀ ହେଲେ ଲୋକେ ଅନେକ ସୁବିଧା ପାଇପାରିବେ ବୋଲି ଆଶା ପୋଷଣ କରିଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details