ଭୁବନେଶ୍ବର: ହାଡଭଙ୍ଗା ଶୀତ ପରେ ଏବେ କଲବଲ କରୁଛି କୁହୁଡି । ପୁଣି ଆସୁଛି ପଶ୍ଚିମା ଝଡ । ଆସନ୍ତା ୧୭ ବେଳକୁ ଉତ୍ତର ଆଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ୯ ଜିଲ୍ଲା ଏବଂ ୧୮ ତାରିଖରେ ୬ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ବେଳେ ଘନ କୁହୁଡି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଉଷ୍ଣ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରଭାବରେ ବଢିଛି ରାଜ୍ୟର ରାତ୍ରି ତାପମାତ୍ରା । ଶୀତ କମିଛି ।
ସେପଟେ ଗୁରୁଚାପ ପ୍ରଭାବ ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଏହାରି ଭିତରେ ଆସୁଛି ପଶ୍ଚିମା ଝଡ । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ୧୭ ତାରିଖରେ ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ , ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଢେଙ୍କାନାଳରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୧୮ ତାରିଖରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜରେ ହାଲୁକା ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ।