ଓଡିଶା

odisha

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସଙ୍କଟ, ନାହିଁ ନାହିଁରେ ଚାଲିଛି ଜରୁରୀକାଳୀନ ସେବା

By

Published : Jan 23, 2023, 8:39 AM IST

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଅଭାବ । ଡାକ୍ତରଙ୍କ ଅଭାବରେ ଚାଲିଛି ଜରୁରୀକାଳୀନ ସେବା । ମାତ୍ର 6 ଜଣ ଡାକ୍ତରଙ୍କ ଭରସାରେ ଚାଲିଛି ଆଶୁ ଚିକିତ୍ସା ସେବା । ସବୁ ବିଭାଗରେ ଡାକ୍ତର ପଦ ଖାଲି ପଡ଼ିଛି । ଅଧିକ ପଢ଼ନ୍ତୁ

capital hospital
କ୍ୟାପିଟାଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସଙ୍କଟ

ଭୁବନେଶ୍ବର:ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ, ଯେଉଁଠି ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଆସିଥାନ୍ତି । ସରକାରୀ ହସ୍ପିଟାଲ ହୋଇଥିବାରୁ ମାଗଣାରେ ଭଲ ଚିକିତ୍ସା ପାଇଁ ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ବିଭାଗକୁ ଆସୁଥିବା କେତେକ ସୁନାମଧନ୍ୟ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବା ପାଇଁ ପ୍ରତିଦିନ ରୋଗୀଙ୍କ ଭିଡ ଲାଗିରହିଥାଏ । କିନ୍ତୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି ଡାକ୍ତର ।

କ୍ୟାପିଟାଲ ହସ୍ପିଟାଲରେ ଥିବା ନିରୋଲୋଜି ଏବଂ ନେଫ୍ରଲୋଜି ବିଭାଗରେ ଡାକ୍ତର ସଙ୍କଟ ଦେଖାଦେଇଛି । ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିଲେ ମଧ୍ୟ ଡାକ୍ତର ଅଭାବରୁ ରୋଗୀ ସେବାରେ ବାଧା ଉପୁଜିିଛି । ପୂର୍ବରୁ ଗୋଟିଏ ଦିନ ମାତ୍ର ରୋଗୀଙ୍କୁ ଦେଖୁଥିବା ବେଳେ ଏଣିକି 3 ଦିନ ଡାକ୍ତର ରୋଗୀଙ୍କୁ ଦେଖିବେ । ଯାହା ଫଳରେ ଭିଡ କମିବା ସହ ରୋଗୀଙ୍କୁ ଉଚିତ୍ ମାନର ସେବା ଯୋଗାଇ ଦିଆଯିବ । କିନ୍ତୁ ଏପଟେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଅଭାବ । ଡାକ୍ତରଖାନାରେ ଅନେକ ବିଭାଗ ରହିଛି ଯେଉଁଠି ଗୋଟିଏ କିମ୍ବା ଦୁଇଟି ଡାକ୍ତର ରହିଥିବେ ।

ତେବେ ମୁଖ୍ୟ ବିଭାଗ ହେଉଛି ଆଶୁ ବିଭାଗ । ଯେଉଁଥିରେ 25 ଜଣ ଡାକ୍ତର ରହିବା ଆବଶ୍ୟକ । ସେଥିରେ ମାତ୍ର 6 ଜଣ ଡାକ୍ତର ରହିଛନ୍ତି । ବାକି 19ଟି ଡାକ୍ତର ଚାକିରି ଛାଡ଼ିଲେଣି । ଏହି 6 ଜଣ ଡାକ୍ତରଙ୍କ ମଧ୍ୟରୁ ପ୍ରତି ସିଫ୍ଟରେ 2 ଜଣ ରହିଛନ୍ତି । ତେଣୁ ଡାକ୍ତର ଅଭାବରୁ ଅନେକ ସମୟରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ଥିବା କର୍କଟ ବିଭାଗ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ନିର୍ଭର କରନ୍ତି । ଉତ୍ତମ ଚିକିତ୍ସା ଦେବା ନିମନ୍ତେ ୧୬ ଶଯ୍ୟା ବିଶିଷ୍ଟ ଏକ ଓ୍ୱାର୍ଡ ନିର୍ମାଣ କରାଯାଇଛି । କିନ୍ତୁ କର୍ମଚାରୀ ଏବଂ ଯନ୍ତ୍ରପାତିର ଅଭାବରୁ କର୍କଟ ରୋଗର ଚିକିତ୍ସା ଉପରେ ଲୋକଙ୍କ ଭରସା ପାଉନାହିଁ ।

ସୂଚନାନୁଯାୟୀ କ୍ୟାପିଟାଲ ହସ୍ପିଟାଲରେ ପିଜି, କ୍ୟାନସର ଇନଷ୍ଟିଚ୍ୟୁଟ ସହ ଟ୍ରମା କେୟାର୍ ସେଣ୍ଟର ନିର୍ମାଣ ହେବ । ଏଥିଲାଗି ୨୮୫କୋଟି ଟଙ୍କାର ପ୍ରାଶସନିକ ଅନୁମୋଦନ ମିଳିଛି । ହସ୍ପିଟାଲ ନିର୍ମାଣ ଲାଗି ସ୍ଥାନ ମଧ୍ୟ ଚିହ୍ନଟ ହୋଇସାରିଛି । ତେବେ ନିଜ ନାମ ଗୋପନ ରଖି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ପ୍ରତିଦିନ କ୍ୟାନ୍ସର ୱାର୍ଡକୁ ୧୨୦ରୁ ଊର୍ଦ୍ଧ୍ବ ରୋଗୀ ଆସିଥାନ୍ତି । କିନ୍ତୁ ଡାକ୍ତର ଅଭାବ ସହ ନର୍ସ ଏବଂ ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ରୋଗୀ ଚିକିତ୍ସା ଅଭାବରୁ ମୁହଁ ଫେରି ଯାଉଛନ୍ତି ।

ହସ୍ପିଟାଲରେ କେମୋ ଥେରାପି ଛଡା ଅନ୍ୟ କିଛି ଥେରାପି ଯଥା ରେଡିଏସନ ଥେରାପି, ଇମ୍ୟୁନୋ ଥେରାପି ଭଳି କୌଣସି ସୁବିଧା ଉପଲବ୍ଧ ନାହିଁ । ସର୍ଜରୀ ୱାର୍ଡରେ ନାହିଁ ନଥିବା ଅସୁବିଧା । କେତେବେଳେ ମେସିନର ଅଭାବ ତ ଆଉ କେତେ ବେଳେ ମେସିନ ଭଡାରେ ଅଣାଯାଇ ଚିକିତ୍ସା କରାଯାଉଛି । ସେହିପରି ୱାର୍ଡରେ ବେଡର ଅଭାବ ଥିବାବେଳେ ମେଡିସିନର ମଧ୍ୟ ଅଭାବ ରହୁଛି । କହିବାକୁ ଗଲେ ନାହଁ ନାହିଁରେ ଚାଲିଛି କ୍ୟାପିଟାଲ ହସ୍ପିଟାଲର କ୍ୟାନସର କେୟାର ୱାର୍ଡ ।"


ଏପଟେ ଡାକ୍ତର ଦେଖାଇବା ଠାରୁ ନେଇ ଔଷଧ ନେବା ପର୍ଯ୍ୟନ୍ତ ଲାଇନ ପରେ ଲାଇନ । ଘଣ୍ଟା ଘଣ୍ଟା ଧରି ରୋଗୀଙ୍କୁ ଲାଇନରେ ଛିଡା ହେବାକୁ ପଡୁଛି । ରୋଗ କଷ୍ଟରୁ ବଳି ପଡୁଛି ଅପେକ୍ଷାର କଷ୍ଟ । ସେଥିରେ ପୁଣି ସବୁ ଔଷଧ ନୁହଁ ମାତ୍ର ୨ କି ୩ଟି ଔଷଧ ମିଳୁଛି । ଦିନକୁ ଦିନ ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲର ଭିତ୍ତିଭୂମିର ବ୍ୟବସ୍ଥା ବଦଳୁ ନାହିଁ । ଫଳରେ କ୍ୟାପିଟାଲ ହସ୍ପିଟାଲ ପ୍ରତି ଲୋକେ ମୁହଁ ଫେରାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details