ଓଡିଶା

odisha

କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର, ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବି ସାମିଲ

By ETV Bharat Odisha Team

Published : Jan 17, 2024, 8:01 PM IST

Gamang Family returns Congress: କଂଗ୍ରେସ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର । ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର
କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର । ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସର ହାତ ଧରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପରିବାର । ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେଲେ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ସେହିପରି ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ପଶ୍ଚିମ ଓଡିଶାର ଟାଣୁଆ ନେତା ସଞ୍ଜୟ ଭୋଇ ଆଜି କଂଗ୍ରେସକୁ ଫେରିଛନ୍ତି ।

ଗତ ୧୩ ତାରିଖ (ଶନିବାର) ଉଭୟ ଗିରିଧର ଏବଂ ସଞ୍ଜୟ ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ସେମାନେ ଖୁବଶୀଘ୍ର ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଚର୍ଚ୍ଚା ବଢ଼ିଥିଲା । ଶେଷରେ ମଙ୍ଗଳବାର ରାତିରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକ୍କନ ଓ ପିସିସି ପ୍ରଭାରୀ ଡଃ ଅଜୟ କୁମାରଙ୍କ ଉପସ୍ଥିତିରେ ଗମାଙ୍ଗ ପରିବାର ଓ ସଞ୍ଜୟ ଦଳକୁ ଫେରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗିରିଧର ଓ ସଞ୍ଜୟଙ୍କ ଘର ବାହୁଡା ପରେ କଂଗ୍ରେସ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବ, ବିଶେଷକରି ଦକ୍ଷିଣ ଓଡିଶାରେ ଦଳ ଅଧିକ କ୍ରିୟାଶୀଳ ହେବ ବୋଲି ରାଜନୀତି ସମୀକ୍ଷକ ମତ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...2024 ପାଇଁ ଆକ୍ସନ ମୋଡରେ କଂଗ୍ରେସ; ଫୋକସରେ ଦକ୍ଷିଣ ଓଡ଼ିଶା

ଗିରିଧର ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଗିରିଧରଙ୍କ ପତ୍ନୀ ତଥା ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ବିଜେପିରେ ଅଲୋଡ଼ା ଅନୁଭବ କରି ଦୀର୍ଘଦିନ ହେବ ଗମାଙ୍ଗ ପରିବାର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ବିଶେଷ କରି ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ଭାବେ ଗିରିଧର ପରିଚିତ । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନସଭା ଆସନ ସମେତ କେବଳ କୋରାପୁଟ ସଂସଦୀୟ କ୍ଷେତ୍ରରୁ ସେ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୯ ମସିହା ମହାବାତ୍ୟା ସମୟରେ ଗିରିଧର ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଅଟଳ ବିହାରୀ ବାଜପେୟୀ ସରକାର ଭାଙ୍ଗିବା ପାଇଁ ସଂସଦରେ ଭୋଟ ଦେଇ ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲେ ଗିରିଧର । ସେହିଭଳି ସଞ୍ଜୟ ଭୋଇ ବରଗଡ଼ର ପୂର୍ବତନ ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details