ଓଡିଶା

odisha

କବାଡି ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ଘଟଣା: 4 ଅଭିଯୁକ୍ତ ଗିରଫ

By

Published : Aug 22, 2019, 1:11 PM IST

ଚମ୍ପୁଆ ଥାନା ପର୍ଶଳା ଅଞ୍ଚଳର କବାଡ଼ି ବ୍ୟବସାୟୀ ସଞ୍ଜୟ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଚମ୍ପୁଆ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ଡିଜାଇନ ଫଟୋ

କେନ୍ଦୁଝର: କବାଡି ବ୍ୟବସାୟୀ ସଞ୍ଜୟ ସାହୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ। ଟଙ୍କା ପାଇଁ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡରେ ସମ୍ପୃକ୍ତ 4 ଅଭିଯୁକ୍ତଙ୍କ ଗିରଫ କରିଛି ଚମ୍ପୁଆ ପୋଲିସ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ସୂଚନା ଅନୁଯାୟୀ, ଗତ 14 ତାରିଖରେ ସଞ୍ଜୟଙ୍କୁ ଅପହରଣ କରାଯାଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଭିଷେକ ଶତପଥୀ ଓରଫ ରାଣା ନାମକ ଯୁବକଙ୍କୁ ଲୋକେ ସନ୍ଦେହ କରି ପୋଲିସର ଜିମା ଦେଇଥିଲେ । ହେଲେ ସେତେବେଳେ ଅଭିଷେକ ଠାରୁ ଘଟଣା ସମ୍ପର୍କରେ କୌଣସି ସୁରାକ ପାଇ ନଥିଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପରେ ଗତ 17 ତାରିଖରେ ତଡ଼ୁଆବାହାଲ ନାଳ ନିକଟରେ ସଞ୍ଜୟଙ୍କର ମୃତଦେହ ଠାବ ହୋଇଥିଲା । ଅପହରଣ ପରେ ସଞ୍ଜୟଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ଚମ୍ପୁଆ ପୋଲିସ ଛାନଭିନ୍ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ଯୋଡ଼ାର ଅଭିଷେକ ଶତପଥୀ, ବିନୁ ରାମ, ରାଜକୁମାର ମହାକୁଡ ଏବଂ ଚମ୍ପୁଆର ସଞ୍ଜୟ ସାହୁ । ଟଙ୍କା ପାଇଁ ଏମାନେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

ପୂର୍ବ ଯୋଜନା ମୁତାବକ ଏମାନେ କ୍ରସର ସ୍କ୍ରାପ ଦେଖାଇବା ପାଇଁ ସଞ୍ଜୟଙ୍କୁ ସାଙ୍ଗରେ ଡାକିନେଇଥିଲେ । ପର୍ଶଳାରୁ କିଛି ବାଟ ଯିବା ପରେ ତଡ଼ୁଆ ବାହାଳ ନିକଟରେ ସଞ୍ଜୟଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଅଭିଷେକ ପିସ୍ତଲ ବାହାର କରି ସଞ୍ଜୟଙ୍କ ଉପରୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ସେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details