କେନ୍ଦ୍ରାପଡା: ମହାମାରୀ କରୋନା ସମୟରେ ୟ୍ୟୁଟୁବ ଚାଷ ଆରମ୍ଭ କଲେ ଯୁବଚାଷୀ । ଆଉ ଏବେ ହୋଇଛନ୍ତି ଲାଭବାନ । ଥାଇଲାଣ୍ଡ ଆପେଲ ବଇରିକୋଳି ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯୁବଚାଷୀ ରଞ୍ଜନ । ନିଜ ବାଡିରେ ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନିଆଳି, ନିମାପଡା ପରେ ଏବେ କେନ୍ଦ୍ରାପଡାରେ ଫଳିଛି ଏହି ରେଡ ଆପେଲ ବରକୋଳି । ପସ୍ତା ଗାଁର ରଞ୍ଜନ କୁମାର ପରିଡା ନିଜ ଜମିରେ ଏବେ ଏହି ଚାଷ କରିଛନ୍ତି । ଖାଲି ଥାଇଲାଣ୍ଡ ଆପୋଲ ବରକୋଳି ବରଂ ଗ୍ରିନ ଆପେଲ ବରକୋଳି ଓ ଅଷ୍ଟ୍ରିଆନ ବରକୋଳି ମଧ୍ୟ ସେ ଚାଷ କରିଛନ୍ତି ରଞ୍ଜନ ।
ପ୍ରଥମେ କଲିକତାର ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଥାଇଲାଣ୍ଡ ଆପେଲ ବରକୋଳି ଚାରା ମଗାଇଥିଲେ । ଏହା ପରେ ନିଜ ବାଡିରେ ଥିବା ୧୨ ଡିସିମିଲ ଜାଗାରେ ଲଗାଇଥିଲେ । ଗୋଟିଏ ଥାଇଲାଣ୍ଡ ଆପେଲ ବରକୋଳି ଗଛକୁ ୧୦୦ ଟଙ୍କା ମୂଲ୍ୟରେ ୫୬ଟି ଗଛ ଆଣି ଲଗାଇଥିଲେ ରଞ୍ଜନ । ଯେଉଁ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ପ୍ରତ୍ୟେକ ଗଛରେ ୧୦ କେଜିରୁ ଅଧିକ ଫଳ ଫଳୁଥିବା ଦେଖିବାକୁ ମିଳୁଛି। ଏହି ଥାଇଲାଣ୍ଡ ଆପେଲ କୋଳି ଗୋଟିଏ ଗଛରୁ ପ୍ରଥମ ବର୍ଷ ୨୦ରୁ ୨୫ କେଜି ଫଳିବ । ସେହିପରି ଦ୍ବିତୀୟ ବର୍ଷ ୪୦ରୁ ୫୦ କେଜି ଏବଂ ତୃତୀୟବର୍ଷ ୧ କୁଇଣ୍ଟାଲରୁ ଅଧିକ ଫଳ ଫଳିବ ବୋଲି କହିଛନ୍ତି ରଞ୍ଜନ । ଥାଇଲାଣ୍ଡ ଆପେଲ ଚାଷରେ ଥରେ ମାତ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି କୋଳି ଗଛରୁ କମଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବ ବୋଲି କହିଛନ୍ତି ଯୁବଚାଷୀ ।