ଓଡିଶା

odisha

ଓପିଜିସିରେ କୋଇଲା ସଙ୍କଟ, ବନ୍ଦ ହେବ ଓପିଜିସିର ଗୋଟିଏ ୟୁନିଟ୍

By

Published : Oct 13, 2019, 3:05 PM IST

ଓପିଜିସିରେ କୋଇଲା ସଙ୍କଟ ପାଇଁ ବନ୍ଦ ହୋଇପାରେ ଓପିଜିସିର ଗୋଟିଏ ୟୁନିଟ୍ । ଓପିଜିସିର କୋଇଲା ସଙ୍କଟ ରାଜ୍ୟ ପାଇଁ ଭବିଷ୍ୟତରେ ବିଜୁଳି ସମସ୍ୟା ସୃଷ୍ଟି କରିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଓପିଜିସିରେ କୋଇଲା ସଙ୍କଟ । ଏନେଇ ସୋମବାର ଠାରୁ ଓପିଜିସିର ଗୋଟିଏ ୟୁନିଟ୍ ବନ୍ଦ ହେବ ।

ଝାରସୁଗୁଡା ବନହରପାଲିରେ ଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି । ଓପିଜିସିର ପ୍ରଥମ ଓ ଦ୍ବିତୀୟ ୟୁନିଟରୁ 420 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବାବେଳେ ଦୈନିକ 8 ହଜାର ମେଟ୍ରିକ୍ ଟନ କୋଇଲା ଆବଶ୍ୟକ ଥାଏ । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ 3ୟ ଓ 4ର୍ଥ ୟୁନିଟରୁ 1320 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ 16 ହଜାର ମେଟ୍ରିକ୍ ଟନ କୋଇଲା ଆବଶ୍ୟକ । ସେହିପରି ଦୈନିକ ବିଜୁଳି ଶକ୍ତି ଉତ୍ପାଦନ ପାଇଁ 24 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବାବେଳେ ଏମସିଏଲ ଯୋଗାଉଛି 10 ହଜାର ମେଟ୍ରିକ ଟନ କୋଇଲା । ଫଳରେ ଓପିଜିସି ପାଇଁ 4ଟି ଯାକ ୟୁନିଟ୍‌ ଚଳାଇବା ଅସମ୍ଭବ ହୋଇପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପୂର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲାରୁ 4ଟି ଯାକ ୟୁନିଟ କାର୍ଯ୍ୟକାରୀ ହେଉଥିବାବେଳେ ଏବେ ଗଚ୍ଛିତ କୋଇଲା ମଧ୍ୟ ଶେଷ ହେବା ଉପରେ । ଯଦି ଏମସିଏଲ କୋଇଲା ଯୋଗାଣ ବୃଦ୍ଧି ନ କରେ ସୋମବାର ଠାରୁ 2 ନମ୍ବର ୟୁନିଟକୁ ବନ୍ଦ କରାଯିବ । ଯଦି ଆଗାମୀ ଦିନରେ ଏଭଳି ସ୍ଥିତି ଲାଗି ରହେ ତେବେ ଆଗକୁ ଆହୁରି ଅଧିକ ୟୁନିଟ ବନ୍ଦ କରିବାକୁ ଓପିଜିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଓପିଜିସିର କୋଇଲା ସଙ୍କଟ ପାଇଁ ରାଜ୍ୟରେ ବିଜୁଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢିଛି । ଯଦି ଗୋଟିଏ ୟୁନିଟ୍ ବନ୍ଦ ହୁଏ ତେବେ 210 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details