ଯାଜପୁର:ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲେ ଦମ୍ପତି । ଏହି ଠକ ଦମ୍ପତିଙ୍କ ସମେତ ମୋଟ 5 ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ନଗଦ 10 ଲକ୍ଷ ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ନଗଦ ଟଙ୍କା ସହ 63ଟି ATM କାର୍ଡ, ଗୋଟିଏ କ୍ରେଡିଟ କାର୍ଡ, 7ଟି ମୋବାଇଲ ଫୋନ, 46ଟି ସିମକାର୍ଡ, 21ଟି ବିଭିନ୍ନ ବ୍ୟାଙ୍କର ପାସବୁକ, 3ଟି ପସ୍ ମେସିନ ଜବତ କରାଯାଇଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁନୀଲ ନାୟକ ଏବଂ ତାଙ୍କ ପତ୍ନୀ ମାଳତୀ ସମେତ 5ଜଣଙ୍କୁ ଗିରଫ କରାଯାଇଛି । କିଛି ଦିନ ପୂର୍ବରୁ ମାଳତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ସ୍ବାମୀ ସୁନୀଲ ଓ ଅନ୍ୟ 3 ସହଯୋଗୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ମୁତାବକ ସୁନୀଲ ଓ ତାଙ୍କ ପତ୍ନୀ ସୃଜନ ଇନ୍ଫୋଟେକ କମ୍ପାନୀ ଖୋଲି ପେଟିଏମ ଠାରୁ ପସ୍ ମେସିନ ଲଗାଇବାକୁ ଫ୍ରାଞ୍ଚାଇଜ ଆଣି ବିଭିନ୍ନ ଦୋକାନରେ ଲଗାଇଥିଲେ ।