ଢେଙ୍କାନାଳ:ସ୍ବପ୍ନର ନଗରୀ ମୁମ୍ବାଇରେ ଚମକ ଦେଖାଇଛନ୍ତି ଓଡ଼ିଆ ଝିଅ । ମିସ ଇଣ୍ଡିଆ ପରି ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଓ ରନର୍ସ-ଅପର ମକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ଢେଙ୍କାନାଳ ମାଟିର ଝିଅ ଜଗତଜିତା ଦାସ । ଏପରି ସଫଳତା ହାସଲ କରି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଟାଇଟଲ ଜିତିବା ପରେ ଜଗତଜିତାଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ମୁମ୍ବାଇରେ ନିଜ କଳା ଚାତୁରୀର ଚମକ ଦେଖାଇ ଝଲସାଇ ଦେଇଛନ୍ତି ମିସ ଇଣ୍ଡିଆ ପରି ସର୍ବଭାରତୀୟ ପ୍ରତିଯୋଗିତାର ପେଣ୍ଡାଲ । ମିଶନ ଡ୍ରିମ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ପ୍ରତିଯୋଗିତା ମିସ ଇଣ୍ଡିଆରେ ଜଣେ ନିଆରା ପ୍ରତିଯୋଗୀ ଭାବେ ଆକର୍ଷଣର କେନ୍ଦ୍ର ସାଜିଥିଲେ ଜଗତଜିତା । ଏହି ପ୍ରତିଯୋଗିତାର ରାମ୍ପରେ କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ କୋଳରେ ଧରି ଖାଣ୍ଟି ଓଡ଼ିଆଣୀ ଭାବେ ଶାଢ଼ୀ ପରିଧାନ କରିଥିଲେ ।
ତାଙ୍କର ଏହି ନିଆରା ବେଶଭୂଷାର ଠାଣି ଉପସ୍ଥିତ ଦର୍ଶକଙ୍କ ଠାରୁ ବିଚାରକମଣ୍ଡଳୀ ଓ ଆୟୋଜକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରିଥିଲା ଆନମନା । ଆଉ ନିଜର ଏହି ନିଆରା ପ୍ରତିଭା ପାଇଁ ଚଳିତ ଥର ମିସ ଇଣ୍ଡିଆ ପ୍ରତିଯୋଗିତାର ଦ୍ବିତୀୟ ରନର୍ସ-ଅପ ମୁକୁଟ ହାସଲ କରିବାରେ ସକ୍ଷମ ହୋଇଥିବା ପ୍ରକାଶ କରିଛନ୍ତି ଓଡ଼ିଆ ଝିଅ ଜଗତଜିତା ଦାସ । ସେ ପେଶାରେ ଜଣେ ସଫ୍ଟୱେର ଇଂଜିନିୟର । ମାତ୍ର ନିଶା ତାଙ୍କର ଫେସନ ଡିଜାଇନ ଓ ଫେସନ ଶୋ'।