କଟକ:କାଲିର ସୁନାମ ଧନ୍ୟ ଫୁଟବଲ୍ ଖେଳାଳି ଅଶୋକ ଦାସ ଆଜି ଦିନ ମଜୁରିଆ । ଦିନେ ଜାତୀୟ ସ୍ତରର ମ୍ୟାଚ ଖେଳି ଅଜସ୍ର ସୁନାମ ଅର୍ଜନ କରିଥିବା ଫୁଟବଲ ଖେଳାଳି ଆଜି ନିଜର ଜୀବନ ନିର୍ବାହ କରିବା ପାଇଁ ସଂଗ୍ରାମ କରୁଛନ୍ତି । ଫୁଟବଲ ପ୍ରେମ ଏବେ ବି ମନରେ ରହିବା ସତ୍ତ୍ୱେ ସ୍ୱପ୍ବ ଭାଙ୍ଗିବା ପରେ ହତାଶ ହୋଇ ଏବେ ମଜୁରିଆ ଭାବରେ କାର୍ଯ୍ୟରତ ରହିଛନ୍ତି । ଅଶୋକଙ୍କ ସଂଘର୍ଷ ଦେଖିଲେ ମନେ ହେଉଛି ସରକାର କ୍ରୀଡା ଦିଗରେ ବ୍ୟାପକ ବିକାଶ ଦିଗରେ ଯେପରି ଦିଗହରା ହୋଇ ପଡିଛନ୍ତି ।
ଯିଏ ଦିନେ ବଲ ଧରିବା ମାତ୍ରେ ଗୋଲ କିପରର ଗୋଲ ପୋଷ୍ଟ ଥରୁଥିଲା ସେ ଆଜି ପରିବାର ପୋଷଣ ପାଇଁ ପାଲଟି ଯାଇଛି ବେସାହାରା । ପୁରୁଣା ସ୍ମୃତିକୁ ଛାତିରେ ଜାବୁଡ଼ି ଧରି ଜିଇଁବାର ଦୁଃଖ ଦରିଆରେ ପାଲଟିଛନ୍ତି ବେସାହାରା ପଥିକ । କଟକ ପୁରୀଘାଟ ଅଞ୍ଚଳରେ ଥିବା ୪୦ ନମ୍ୱର ବସ୍ତିରେ ରୁହନ୍ତି ଅଶୋକ ଦାସ । ପରିବାରରେ 7 ପ୍ରାଣୀ । ସୁଖେ ଦୁଃଖରେ ପାରିବାରିକ ଜୀବନ କଟୁଛି । କିନ୍ତୁ ଏହାରି ଭିତରେ ନିଜର ସ୍ଵପ୍ନକୁ ନେଇ ସର୍ବଦା ଚିନ୍ତିତ ଅଶୋକ । ଦିନେ ଓଡ଼ିଶା ଫୁଟବଲ ଜଗତର ବାଦଶାହା ଏବେ କଟକ ବଡ଼ ମେଡ଼ିକାଲରେ ଏକ ଠିକା ସଂସ୍ଥାରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଖଟିକି ଆଣିଲେ ପରିବାରର ଚୁଲି ଜଳୁଛି । ଏବେବି ପୁରୁଣା ସ୍ମୃତିକୁ ସାଉଁଟି ରଖିଛନ୍ତି ଅଶୋକ । କ୍ଲବ ତଥା ଜାତୀୟ ସ୍ତରରେ ଅର୍ଜନ କରିଥିବା ସାର୍ଟିଫିକେଟ ଓ ଟ୍ରଫିକୁ ପାଖରେ ଅମୂଲ୍ୟ ସମ୍ପଦ ଭାବେ ସାଇତି ରଖିଛନ୍ତି ।