ବରଗଡ: ଓଡିଶାର ପ୍ରସିଦ୍ଧ ଆଦିବାସୀ କବି ହଳଧରଙ୍କ କାହାଣୀ ନିଜେ ଲେଖି ଶୁଣାଇଛନ୍ତି ପ୍ରସିଦ୍ଧ କବି, ଗୀତିକାର, ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଗୁଲଜାର । ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନକୁ ବେଶ ସୁନ୍ଦରଭାବେ ବଖାଣିଛନ୍ତି ଭିଡିଓରେ । ଏହାସହ ହଳଧର ନିଜେ କବିତା ପଢୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । କେବଳ ଗୁଲଜାର ନୁହେଁ ବରଂ ତାମିଲ ରାପର ଆର୍ଟ୍ସଲଡ ମଧ୍ୟ ରାପ୍ ଜରିଆରେ ହଳଧରଙ୍କ କାହାଣୀ କହିଛନ୍ତି ।
ପଦ୍ମଶ୍ରୀ ହଲଧର ନାଗ ଗୁଲଜାରଙ୍କ ଏପରି ପଦକ୍ଷେପରେ ଭାବବିଭୋର ହୋଇପଡିଛନ୍ତି । ଏହାସହ ସେ ନିଜ ପ୍ରତିକ୍ରିୟାରେ ଗୁଲଜାରଙ୍କୁ ଧନ୍ୟବାଦ ଦେବାସହ ହାତ ଯୋଡି ନମସ୍କାର କରିଛନ୍ତି । ତେବେ ଏହି ଭିଡିଓଟି ୟୁଟ୍ୟୁବରେ #LetterstoHaldhar ନାମରେ ଟ୍ରେଣ୍ଡ କରୁଛି । ଓଡିଶାର ଏହି ଲୋକକବିଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହୋଇଛନ୍ତି ।
ଆଦିବାସୀ ଓ କୋଶଳୀ ଭାଷ ପାଇଁ ସର୍ବଦା ଲଢିଆସୁଥିବା ହଳଧର 1950 ମସିହା ମାର୍ଚ୍ଚ 31ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ‘ଲୋକକବି ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି । ଖାଲି ଏତିକି ନୁହେଁ ପପୁଲାର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC) ହଳଧରଙ୍କ ଜୀବନୀ ଉପର ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲା ।