ବାଲେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଠୁଛି ପଡୁଛି ଗାଁ ଗଣ୍ଡା । ପ୍ରଚାର ପ୍ରସାର ସାଙ୍ଗକୁ ବର୍ଷୁଛି ମାଳ ମାଳ ପ୍ରତିଶ୍ରୁତି । କିଏ କହୁଛି ନିର୍ବାଚନ ଜିତିଲେ ଆବାସ ଘରଟିଏ କରେଇ ଦେବ ତ ଆଉ କିଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଭରସା ଦେଉଛି । ଏହାରି ଭିତରେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ କେଦାର ସାହୁ ହୋଇଥିବାବେଳେ ସେ ଜଣେ ଭୋଟରଙ୍କୁ କେଦାର ଯୋଜନା ପାଇଛ ତ ? ବୋଲି ପ୍ରଶ୍ନ କରୁଥିବାର ଭିଡିଓରେ ଦେଖାଯାଇଛି ।
ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଚଷାଖଣ୍ଡ ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି । ଉକ୍ତ ପଞ୍ଚାୟତରେ ତିନି ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ କେଦାର ସାହୁ ଜଣେ । ଏହି ପ୍ରାର୍ଥୀ ଜଣକ ପ୍ରଚାର କରୁଥିବା ବେଳେ ଭୋଟରମାନେ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ କରିଥିଲେ ଏହାର ପ୍ରତିଉତ୍ତରରେ କେଦାର ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ପାଖରେ କେଦାର ଯୋଜନା ପହଞ୍ଚିଛି କି ନାହିଁ । ପ୍ରାର୍ଥୀଙ୍କ ଏହି ପଦକ କଥା ଏବେ ଚାରିଆଡେ ଭାଇରାଲ ହେଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ