ବାଲେଶ୍ବର:ଭକତ ପ୍ରେମରେ ବନ୍ଧା ସେ କାଳିଆ ସାଆନ୍ତ । ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରେ ସେ ତାଙ୍କୁ କୋଳେଇ ନିଅନ୍ତି । କାଳିଆ ସାଆନ୍ତଙ୍କ ପ୍ରତି ଥିବା ଭକ୍ତି ଅର୍ଘ୍ୟକୁ ତୂଳୀ ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି ବାଲେଶ୍ବର ସହର ସୁଏଲପୁର ଅଞ୍ଚଳର ମୋନାଲିସା ସାହୁ । ମହାପ୍ରଭୁଙ୍କ ବିଗ୍ରହରେ ରଙ୍ଗ ଦେଇ ତାଙ୍କ ସେବାରେ ନିମଗ୍ନ ହେଇଛନ୍ତି ମୋନାଲିସା ।
ମହାପ୍ରଭୁଙ୍କ ପ୍ରେମରେ ବିଲୀନ ମୋନାଲିସା । ଯାହା ତାଙ୍କ ପାଇଁ ଏବଂ ପରିବାର ପାଇଁ ଆଣି ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ମୋନାଲିସାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି କାଳିଆର କଳାକୃତି । ବିନା କୌଣସି ତାଲିମରେ ସେ ଅତି ସୁନ୍ଦର ଭାବରେ ମହାପ୍ରଭୁଙ୍କ ବିଗ୍ରହ ସଜାଉଛନ୍ତି । ଯାହା ନଦେଖିଲେ ବିଶ୍ବାସ ହେବନାହିଁ । ପ୍ରାୟ ତିନିବର୍ଷ ପୂର୍ବରୁ ବସୁବସୁ ଘରେ ଥିବା ମହାପ୍ରଭୁଙ୍କ ବିଗ୍ରହରେ ରଙ୍ଗ ଦେଇ ସଜାଇବା ପାଇଁ ମନସ୍ଥ କରିଥିଲେ ମୋନାଲିସା। ଏହାରି ଭିତରେ କେତେବେଳେ ସେ ଚତୁର୍ଦ୍ଧା ମୂର୍ତ୍ତିକୁ ଏତେ ସୁନ୍ଦର ଭାବେ ସଜେଇ ଦେଇଥିଲେ ତାହା ସେ ନିଜେ ମଧ୍ୟ ବୁଝି ପାରି ନଥିଲେ । ପରବର୍ତ୍ତୀ ସମୟରେ ପଡ଼ୋଶୀଙ୍କ ଘରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ମଧ୍ୟ ରଙ୍ଗ ଦେଇ ଅତି ସୁନ୍ଦର ଭାବେ ସଜାଇ ଦେଇଥିଲେ । ଏଥିପାଇଁ ସେ କୌଣସି ତାଲିମ ନେଇ ନଥିବା ବେଳେ ଏମିତି ସୁନ୍ଦର ଭାବେ ମହାପ୍ରଭୁଙ୍କୁ ସଜାଇବା ନିଶ୍ଚୟ ଭାବେ ଆଶୀର୍ବାଦ ବୋଲି କୁହାଯାଇ ପାରେ । ମୋନାଲିସା ଧିରେଧିରେ କଳା ପ୍ରତି ଆକୃଷ୍ଟ ହୋଇଥିଲେ । ଆଖପାଖ ଲୋକେ ମୋନାଲିସାଙ୍କ କଳା ଦେଖି ନିଜ ଘରେ ଥିବା ମହାପ୍ରଭୁଙ୍କ ବିଗ୍ରହ ସଜାଇବା ପାଇଁ ଭିଡ଼ ଜମାଇବାକୁ ଲାଗିଲେ । ଏହାପରେ ସେ ନିଜ କଳାକୁ ଆହୁରି ମାର୍ଜିତ କରିବାକୁ ପ୍ରେରଣା ପାଇଥିଲେ ।