ଓଡିଶା

odisha

କୋଇଲା ପରିବହନରେ କଳା କାରନାମା, ଅଫିସର ଜାଣିଶୁଣି ଚୁପ

By

Published : Oct 10, 2021, 4:27 PM IST

ଅନୁଗୋଳ ତାଳଚେରର MCL ଅନନ୍ତ ଖୋଲା କୋଇଲା ଖଣିରେ କୋଇଲା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ପରିବହନ ପାଇଁ ହୋଇଥିବା ନୋଟିସ ଇନଭାଇଟିଂ ଟେଣ୍ଡର (NIT)କୁ କର୍ତ୍ତୃପକ୍ଷ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛନ୍ତି । ଯାହାର ତଥ୍ୟ ଓ ପ୍ରମାଣ ଲାଗିଛି ଇଟିଭି ଭାରତ ହାତରେ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ....

କୋଇଲା ପରିବହନରେ ଦୁର୍ନୀତିର ଗନ୍ଧ; ଜାଣିଶୁଣି ଚୁପ ଅଫିସର
କୋଇଲା ପରିବହନରେ ଦୁର୍ନୀତିର ଗନ୍ଧ; ଜାଣିଶୁଣି ଚୁପ ଅଫିସର

ଅନୁଗୋଳ:ଜିଲ୍ଲାର ତାଳଚେରର MCL ଅନନ୍ତ ଖୋଲା କୋଇଲା ଖଣିରେ କୋଇଲା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ପରିବହନ ପାଇଁ ହୋଇଥିବା ନୋଟିସ ଇନଭାଇଟିଂ ଟେଣ୍ଡର (NIT)କୁ କର୍ତ୍ତୃପକ୍ଷ ଖୋଲାଖୋଲି ଭାବେ ଉଲ୍ଲଘଂନ କରିଥିବାରୁ ଠିକା ସଂସ୍ଥା ମାଲାମାଲ ହେଉଛନ୍ତି । କିନ୍ତୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି । ଖଣି କର୍ତ୍ତୃପକ୍ଷ ଏବଂ ଠିକାସଂସ୍ଥା ମିଳି ଭଗତରେ ଚାଲିଛି ଏଭଳି ଦୁର୍ନୀତି । ଏହାକୁ MCL ମାଇନିଂ କଣ୍ଟ୍ରାକ୍ଟରସ ଆସୋସିଏସନ ଦୃଢ଼ ବିରୋଧ କରିବା ସହ MCL ମୁଖ୍ୟ ଭିଜିଲାନ୍ସ ଅଫିସରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଯାହାର ତଥ୍ୟ ଓ ପ୍ରମାଣ ଲାଗିଛି ଇଟିଭି ଭାରତ ହାତରେ ।

କୋଇଲା ପରିବହନରେ ଦୁର୍ନୀତିର ଗନ୍ଧ; ଜାଣିଶୁଣି ଚୁପ ଅଫିସର

ଏହି ଅଭିଯୋଗ ହେବା ପରେ ପଦାରେ ପଡିଛି କୋଇଲା ଖଣି କର୍ତ୍ତୃପକ୍ଷ ଠିକା ସଂସ୍ଥା ମଧ୍ୟରେ ଥିବା ମଧୁଚନ୍ଦ୍ରିକା । ଅନୁଗୋଳ ଜିଲ୍ଲାର ତାଳଚେରରେ ଥିବା MCLର ଅନନ୍ତ କୋଇଲା ଖଣିରେ କୋଇଲା ଖନନ ଓ ପରିବହନ ପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ଼ ପକ୍ଷରୁ ଗତ ୨୦୨୦ ଏପ୍ରିଲ ୨୨ ତାରିଖରେ ଟେଣ୍ଡର ହୋଇଥିଲା । ଯେଉଁ ଟେଣ୍ଡର ହାତେଇଥିଲା VPR ମାଇନିଂ ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ । ତେବେ ଟେଣ୍ଡର ହାତେଇଥିବା VPR ନାମକ ଠିକା ସଂସ୍ଥା MCLର ଏନଆଇଟି (Notice Inviting Tender)କୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି।

ଟେଣ୍ଡର NIT କ୍ଲଜ ନଂ୮(ସି)ରେ ରହିଛି ଯେ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ଠିକା ସଂସ୍ଥା ୧୯.୫ ଘନ ମିଟର ପରିବହନ କ୍ଷମତା ଥିବା ଟିପର ହିଁ ଖଣି ଭିତରେ କୋଇଲା ପରିବହନରେ ବ୍ୟବହାର କରିପାରିବେ। କିନ୍ତୁ ଭିପିଆର ୧୮ ଘନ ମିଟର ପରିବହନ କ୍ଷମତା ଥିବା ଶତାଧିକ ଟିପର ବ୍ୟବହାର କରୁଛି । ଏଭଳି ହେବା ଦ୍ବାରା ପ୍ରତ୍ୟକ ଥର ୧.୫ଘନ ମିଟର କୋଇଲା କମ ପରିବହନ ହେଉଛି । ଯାହା ପାଇଁ MCL କୋଟି କୋଟି ଟଙ୍କା ରାଜସ୍ବ ହରାଉଛି । ତେବେ ଏନେଇ MCL ମାଇନିଂ କଣ୍ଟ୍ରାକ୍ଟର୍ସ ଆସୋସିଏସନ ଏହି ଦୁର୍ନୀତି ସମ୍ପର୍କରେ ଖଣି ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଭିଜିଲାନ୍ସକୁ ଲିଖିତ ଭାବେ ଅଭିଯୋଗ କରିଛି ।

ସେପଟେ ମାଇନିଂ କଣ୍ଟ୍ରାକ୍ଟରସ ଆସୋସିଏସନ ଅଭିଯୋଗ ମୁତାବକ ଟେଣ୍ଡର ବେଳେ ଆବଶ୍ୟକ ପଡୁଥିବା ଗାଡି ଓ ଅନ୍ୟାନ୍ୟ ମେସିନର ମୂଲ୍ୟକୁ ଦେଖି ଅନ୍ୟ ଠିକା ସଂସ୍ଥାମାନେ ଟେଣ୍ଡର ପକାଇ ଥାଆନ୍ତି। ୧୯.୫ଘନ ମିଟର କ୍ଷମତା ବିଶିଷ୍ଟ ଟିପର ମୂଲ୍ୟ ୧କୋଟିରୁ ଅଧିକ ଥିବା ବେଳେ ଠିକା କାମ ପାଇଥିବା ଭିପିଆର ୧୮ ଘନ ମିଟର କ୍ଷମତା ବିଶିଷ୍ଟ ଟିପର ବ୍ୟବହାର କରିଛି । ଯାହାର ମୂଲ୍ୟ ୭୦ରୁ ୮୦ଲକ୍ଷ ଟଙ୍କା । ତେଣୁ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ସେହି ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ଖଣି କର୍ତ୍ତୃପକ୍ଷ କେତେ ଅନୁକମ୍ପା ଦେଖାଉଛନ୍ତି । ଏନେଇ ଅନନ୍ତ କୋଇଲା ଖଣିର ପ୍ରୋଜେକ୍ଟ ଅଫିସରଙ୍କୁ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ସେ କ୍ୟାମେରା ସାମ୍ନାରେ କିଛି କହିନଥିବା ବେଳେ ଏ ବାବଦରେ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି ।

ତାଳଚେର ଅଞ୍ଚଳରେ ଥିବା କୋଇଲା ଖଣି ଗୁଡିକରେ ପ୍ରତି ୨-୩ ବର୍ଷରେ ନୂଆ ନୂଆ ଟେଣ୍ଡର ହେଉଛି । ଟେଣ୍ଡର ବେଳେ ଯାହା ନିୟମ ରହୁଛି ତାହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି ଯାହାର ଉଦାହରଣ ହେଉଛି ଅନନ୍ତ ଖଣିରେ ଚାଲିଥିବା ବେନିୟମ କାର୍ଯ୍ୟ ଅଭିଯୋଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details