ଅନୁଗୋଳ:ନିଯୁକ୍ତି ନମିଳିବାରୁ କୋଇଲା ଖଣି ବନ୍ଦ । ଖଣି ବନ୍ଦ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗ୍ରାମବାସୀ । ଅନୁଗୋଳ ଜିଲ୍ଲା କଣିହାଁରେ ଥିବା କଣିହାଁ ଖୋଲା କୋଇଲା ଖଣିକୁ ଗ୍ରାମବାସୀଙ୍କ ଦ୍ବାରା ବନ୍ଦ କରାଯାଇଛି । ଜମି ଅଧି ଗ୍ରହଣ ପରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇଥିବାବେଳେ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ, କଣିହାଁ ଖୋଲା କୋଇଲା ଖଣି କର୍ତ୍ତୃପକ୍ଷ ତିନୋଟି ପର୍ଯ୍ୟାୟରେ ଜମି ଅଧିଗ୍ରହଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାତ୍ର ୨୧ଜଣକୁ ନିଯୁକ୍ତି ଦେଇଥିଲେ ।
କିନ୍ତୁ ପ୍ରତିଶୃତି ମୁତାବକ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ଦୀର୍ଘ ଦିନ ହେଲା ଆଉ ନିଯୁକ୍ତି ଦେଉ ନାହାନ୍ତି । ଏହାର ପ୍ରତିବାଦରେ କଣିହାଁ ଅଞ୍ଚଳର କ୍ଷତିଗ୍ରସ୍ତ ଲୋକେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ନିଯୁକ୍ତି ପାଇଁ ପରିବାର ଗୁଡିକ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ପାଇପାରି ନାହାନ୍ତି । ପୂର୍ବରୁ ଆରପିଡିଏସ ବୈଠକରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେହି ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେଉନାହିଁ । ଖଣି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି କହି ଦିନ ଗଡାଉଛନ୍ତି । ତେଣୁ ବାଧ୍ୟ ହୋଇ ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଆନ୍ଦୋଳନ ଯୋଗୁ ଖଣି ଖନନ ଓ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଏହା ମଧ୍ୟ ପଢନ୍ତୁ-ଧାନ ବିଲରେ ଚରିଯାଉଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ