ସାଉଥାମ୍ପଟନ:ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଲଢେଇ ଏଜେସ ବାଓଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଛି । ଶୁକ୍ରବାର ରାତିରେ ଚଣ୍ଡିଗଡରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହଙ୍କୁ ସମ୍ମାନ ଜଣାଇ ଭାରତୀୟ ଖେଳାଳି କଳା ବ୍ୟାଚ୍ ପିନ୍ଧି ଖେଳୁଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଶନିବାର ମିଲଖା ସିଂହଙ୍କ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । "ଟ୍ରାକ କିମ୍ବଦନ୍ତୀଙ୍କ ଜୀବନବ୍ୟାପୀ ସାଧନା ଓ ନିଷ୍ଠାର କାହାଣୀ ଉତ୍କର୍ଷତାର ଲକ୍ଷ୍ୟ ରଖିଥିବା ସାରା ଦେଶକୁ ପ୍ରେରିତ କରିଛି । କୌଣସି ବି ପରିସ୍ଥିତିରେ କେବେ ହାର୍ ନ ମାନିବା ତାଙ୍କ ଶବ୍ଦକୋଷରେ ନଥିଲା, ନିଜର ସ୍ବପ୍ନକୁ ପୂରଣ କରିବାକୁ ସଂପୂର୍ଣ୍ଣ ସମର୍ପଣ ଭାବକୁ ଦେଶ କେବେ ଭୁଲିପାରିବ ନାହିଁ । ତୁମେ ସର୍ବଦା ସ୍ମରଣୀୟ ରହିବ ।" ଟ୍ବିଟ ଯୋଗେଁ ଏହା କହିବା ସହ ଅମର ଆତ୍ମାର ସଦଗଦି କାମନା କହିଛନ୍ତି କୋହଲି ।
କିମ୍ବଦନ୍ତୀ ମିଲଖା ସିଂହଙ୍କ ଦ୍ବାରା ପ୍ରେରିତ ହୋଇ, ଅଗଣିତ ଯୁବ ଭାରତୀୟ ଜଣେ ଆଥଲେଟ୍ ହେବାର ସ୍ବପ୍ନ ଦେଖିପାରିଛନ୍ତି । ଏହା କହିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । "ଭାରତର ଅନ୍ୟତମ ମହାନତମ କ୍ରୀଡାବିତ, ତୁମେ ଯୁବ ଭାରତୀୟଙ୍କୁ ଆଥଲେଟ ହେବାର ସ୍ବପ୍ନ ଥିଲ । ତୁମ ଦେହାନ୍ତରେ ଗଭୀର ଭାବେ ମର୍ମାହତ ।" ଟ୍ବିଟରରେ କିମ୍ବଦନ୍ତୀ ଆଥଲେଟଙ୍କ ସହ ଏକ ଫଟୋ ସେୟାର କରି ଗାଙ୍ଗୁଲି ଏହା ଲେଖିଛନ୍ତି ।
ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି , "ମିଲଖା ସମସ୍ତଙ୍କୁ ଏହି ବିଶ୍ବାସ ସହିତ ପରିଚିତ କରାଇଥିଲେ ଯେ, କିଛି ବି ଅସମ୍ଭବ ନୁହେଁ । ଭାରତୀୟ ପିଢୀର ପଦପ୍ରଦର୍ଶକ ଥିଲେ ମିଲଖା, ଗଭୀର ଶ୍ରଦ୍ଧାଞ୍ଜଳୀ । "