ହାଇଦ୍ରାବାଦ: ଭାରତୀୟ ଷ୍ଟାର ସ୍ପିନର କୁଳଦୀପ ଯାଦବଙ୍କ ଆଜି ଜନ୍ମଦିନ । 29 ବର୍ଷରେ ପାଦ ଥାପିଛନ୍ତି ଚାଇନାମ୍ୟାନ କୁଳଦୀପ । କ୍ରିକେଟର ସମସ୍ତ ଫର୍ମାଟରେ ଦମଦାର ପ୍ରଦର୍ଶନ କରି ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କୁଳଦୀପ । ଦିନିକିଆ ହେଉ କି ଟେଷ୍ଟ ବା ଟି ଟ୍ବେଣ୍ଟି ସମସ୍ତ ଅନ୍ତର୍ଜାତୀୟ ମ୍ୟାଚରେ ସେ ତାଙ୍କ ବେଷ୍ଟ ଦେଇଛନ୍ତି । ଆଜି ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଚଳିତ ବିଶ୍ବକପରେ 15ଟି ଓ୍ବିକେଟ ନେଇଥିଲେ କୁଳଦୀପ । 2014 ଆଇସିସି ଅଣ୍ଡର 19 ବିଶ୍ବକପ୍ରେ ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ହ୍ୟାଟିକ ଓ୍ବିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ । ବିସିସିଆଇ ପକ୍ଷରୁ ଚାଇନାମ୍ୟାନ କୁଳଦୀପ ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି । ବହୁ ଭାରତୀୟ ଖେଳାଳି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
1994 ଡିସେମ୍ବର 14 ତାରିଖରେ ଉତ୍ତରପ୍ରଦେଶରେ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ଷ୍ଟାର ସ୍ପିନର କୁଳଦୀପ । ସେ ଜଣେ ବାମହାତୀ ଲେଗ ସ୍ପିନର । ସେ 2017ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ସେହି ବର୍ଷ ସେ ଦିନିକିଆ, ଟେଷ୍ଟ ଓ ଟି ଟ୍ବେଣ୍ଟି ଖେଳିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । 2021ରେ ସେ ଆହତ ହେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳ ଠାରୁ ଦୂରରେ ରହିଥିଲେ । ସୁସ୍ଥ ହେବା ପରେ ପୁଣି ଥରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।