ବେଙ୍ଗାଲୁରୁ: ବିଶ୍ବକପ୍ ୨୦୨୩ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦଳକୁ ଫେରୁଛନ୍ତି ସ୍ପିଡ୍ଷ୍ଟାର୍ ଯଶପ୍ରୀତ ବୁମ୍ରା । ଏହି ତାରକା ବୋଲର ଏବେ ଶତ ପ୍ରତିଶତ ଫିଟନେସ୍ ହାସଲ କରିବାର ନିକଟତର ହୋଇଛନ୍ତି । ଏଥିପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଅଭ୍ୟାସ ଜାରି ରଖିଥିବା ବୁମ୍ରାଙ୍କ ୱାର୍କଲୋଡ୍ ବଢାଯାଇଛି । ତେବେ ମିଳିଥିବା ରିପୋର୍ଟ୍ ଅନୁସାରେ ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ବୁମ୍ରା ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ । ସେପଟେ ଶ୍ରେୟସ ଆୟର ମଧ୍ୟ ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି ।
ଗତ ମାର୍ଚ୍ଚ ମାସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଏହାପରେ ବେଙ୍ଗାଲୁରୁସ୍ଥିତ ଏନ୍ସିଏରେ ଗତ ୩ ମାସ ହେବ ବୁମ୍ରା ବୋଲିଂ କରିବା ଆରମ୍ଭ କରିଥିଲେ । ବିସିସିଆଇର କ୍ରିକେଟ୍ ପ୍ରମୁଖ ଭିଭିଏସ ଲକ୍ଷ୍ମଣଙ୍କ ନିରୀକ୍ଷଣରେ ବୁମ୍ରା ପୁରା ଶକ୍ତିର ସହ ନେଟ୍ରେ ବୋଲିଂ କରୁଛନ୍ତି । ସେ ଲଗାତାର ଭାବେ ୮ରୁ ୧୦ ଓଭର ବୋଲିଂ କରୁଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ଯଦି ସତ, ତେବେ ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକ ବୁମ୍ରାଙ୍କୁ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍ରେ ସାମିଲ୍ କରିବାକୁ ମଧ୍ୟ ବିଚାର କରୁଛନ୍ତି । ଗତ କିଛି ସପ୍ତାହରେ ବୁମ୍ରାଙ୍କ ଠାରେ ଯେଭଳି ଦ୍ରୁତ ଉନ୍ନତି ଦେଖିବାକୁ ମିଳିଛି, ସେ ଆସନ୍ତା ମାସରେ ଭାରତୀୟ ଦଳରେ ଯୋଗ ଦେଇପାରନ୍ତି । ତେବେ ଆଗକୁ ବିଶ୍ବକପ୍ ଥିବାରୁ ଏହା ଉପରେ ଚୟନକର୍ତ୍ତା ଭାବିଚିନ୍ତି ନିଷ୍ପତ୍ତି ନେବେ ।