ଜୟପୁର: ଆଇପିଏଲ 2023ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ । ତେବେ ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ । 17.5 ଓଭରରେ ସମସ୍ତ ୱିକେଟ ହରାଇ କେବଳ 118 ରନ କରିପାରିଥିଲା ରାଜସ୍ଥାନ ରୟାଲ୍ସ । ତେବେ 13.5 ଓଭରରେ କେବଳ ଗୋଟିଏ ୱିକେଟ ହରାଇ ଏକ ସହଜ ବିଜୟ ହାସଲ କରିନେଇଛି ଗୁଜରାଟ ଟାଇଟନ୍ସ ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ଦଳୀୟ ସ୍କୋର 11 ରନ ହୋଇଥିବା ବେଳେ କେବଳ 8 ରନ କରି ଆଉଟ ହୋଇଥିଲେ ଜୋଶ ବଟଲର । ଏହାପରେ ଯଶସ୍ବୀ ଜୟସ୍ବାଲ ମଧ୍ୟ କେବଳ 14 ରନ ହିଁ କରିବା ପାଇଁ ସକ୍ଷମ ହୋଇଥିଲେ । ଦେବଦତ୍ତ ପାଡିକଲ 12 ବଲରୁ 12 ରନର ପାଳି ଖେଳି ନୁର ଅହମ୍ମଦଙ୍କ ଶିକାର ପାଲଟିଥିଲେ । ତେବେ ଅଧିନାୟକ ସଞ୍ଜୁ ସାମସନ ଦଳ ପାଇଁ ସର୍ବାଧିକ 20 ବଲରୁ 30 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ 11 ବଲରୁ 15 ରନର ଗୁରୁତ୍ତବପୂର୍ଣ୍ଣ ପାଳି ଖେଳିଥିଲେ । ଦଳର ଅନ୍ୟ କୌଣସି ଖେଳାଳି 2 ଅଙ୍କ ବିଶିଷ୍ଟ ସ୍କୋର କରିପାରି ନଥିଲେ । ଫଳରେ ଦଳ 17.5 ଓଭରରେ ସମସ୍ତ ୱିକେଟ ହରାଇ 118 ରନ ହିଁ କରିପାରିଥିଲା ।
ଗୁଜରାଟ ପକ୍ଷରୁ ରସିଦ ଖାନ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ । ସେ 4 ଓଭରରେ କେବଳ 14 ରନ ଖର୍ଚ୍ଚ କରି 3ଟି ୱିକେଟ ଅକ୍ତିଆର କରିଥିଲେ । ନୁର ଅହମ୍ମଦ 3 ଓଭରରୁ 25 ରନ ବ୍ୟୟରେ 2ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜୋଶୁଆ ଲିଟିଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।