ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ହାଇ ପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ୨୦୨୩ । ତେବେ ଉଦ୍ଘାଟନୀ ମ୍ୟାଚ୍ରେ ହିଁ ଏକ ରେକର୍ଡ ହାସଲ କରିଛନ୍ତି ଗୁଜୁରାଟ ଟାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି । ଆଇପିଏଲ ଇତିହାସରେ ୧୦୦ ୱିକେଟ ହାସଲ କରିଥିବା ବୋଲର ମାନଙ୍କ ତାଲିକାରେ ନିଜ ନାମ ଯୋଡ଼ିଛନ୍ତି ମହମ୍ମଦ ସାମି । ପୂର୍ବରୁ ୧୮ ଜଣ ବୋଲର ଏହି କୀର୍ତ୍ତିମାନ ହାସଲ କରିଥିଲେ । ତେବେ ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭରୁ ହିଁ ୧୯ତମ ବୋଲର ଭାବେ ଏହି ୧୦୦ରୁ ଅଧିକା ୱିକେଟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଏହି ଅନୁଭବୀ ଦ୍ରୁତ ବୋଲର ।
ଆଇପିଏଲ ୨୦୨୩ ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ପ୍ରଥମ ୱିକେଟ ହାସଲ କରିବା କ୍ଷଣି ହିଁ ଏହି ରେକର୍ଡ ହାସଲ କରିଥିଲେ ମହମ୍ମଦ ସାମି । ସେ ଏହି ମ୍ୟାଚ୍ରେ ୪ ଓଭର ବୋଲିଂ କରି ୨୯ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିଲେ । ଏହା ସହିତ ତାଙ୍କର ଆଇପିଏଲ କ୍ୟାରିଅରରେ ସେ ୧୦୧ଟି ୱିକେଟ ହାସଲ କରିଥିଲେ । ତେବେ ଆଇପିଏଲ ଇତିହାସରେ ୧୦୦ରୁ ଅଧିକ ୱିକେଟ ହାସଲ କରିବାରେ ୧୯ ଜଣ ବୋଲର ସାମିଲ ରହିଛନ୍ତି । ସେଥି ମଧ୍ୟରୁ ୪ ଜଣ ବିଦେଶୀ ଖେଳାଳି ସାମିଲ ରହିଥିବା ବେଳେ ୧୫ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଖେଳାଳି ଏବେ ଆଇପିଏଲ ଖେଳୁ ନଥିବାବେଳେ କିଛି ଖେଳ ଦୁନିଆରୁ ଅବସର ନେଇଯାଇଛନ୍ତି । ତେବେ ଯେଉଁ ଖେଳାଳି ଏବେ ଆଇପିଏଲ ଖେଳୁଛନ୍ତି, ସେମାନେ ସର୍ବାଧିକ ୱିକେଟ ନେବାପାଇଁ ରେସ୍ରେ ରହିବେ ।