ଆଡିଲେଡ:ଭାରତୀୟ ସମୟ ଅନୁସାରେ ଶନିବାର ସକାଳ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପରି ଦୁଃସ୍ବପ୍ନ ପରି ହୋଇଛି । ଶନିବାର ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଅଲୋଡା ରେକର୍ଡର ଅଧିକାରୀ ହେବାସହ ଲଜ୍ଜାଜନକ ପରାଜୟ ଭୋଗିଛି । ଘାତକ ବୋଲିଂ ସହ ଅଷ୍ଟ୍ରେଲୀୟ ବୋଲର ଭାରତର ଦ୍ବିତୀୟ ଇଂନିସକୁ ମାତ୍ର 21.2 ଓଭରରେ ଶେଷ କରିଦେଇଥିଲେ । ମାତ୍ର 36 ରନରେ 9 ୱିକେଟ ହରାଇଥିଲା ଭାରତ । ଶେଷ ୱିକେଟ ଭାବେ ବ୍ୟାଟିଂ କରିଥିବା ମହମ୍ମଦ ସାମିଙ୍କ ହାତରେ ପାଟ କମିନ୍ସଙ୍କ ବଲ ଲାଗିବାରୁ ସେ ରିଟାର୍ଡ ହର୍ଟ ଭାବେ ଫେରିଥିଲେ ।
ବିଶ୍ବ କ୍ରିକେଟରେ ଦୁଇ ମାରାତ୍ମକ ଦ୍ରୁତ ବୋଲର ଜସ ହେଜେଲଉଡ ଓ ପାଟ କମିନ୍ସ ପୁନର୍ବାର ଶ୍ରେଷ୍ଠ ପ୍ରମାଣିତ ହୋଇଥିଲେ । ହେଜେଲଉଡ(5-3-8-5) 5ଟି ଓ କମିନ୍ସ(10.2-4-21-4) 4ଟି ୱିକେଟ ହାସଲ କରି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭାରତୀୟ ଖେଳାଳିଙ୍କ ସ୍କୋର (4, 9, 2, 0, 4, 0, 8, 4, 0, 4, 1) ରହିଥିଲା ।
ଏକଦା ଭାରତୀୟ ଦଳ 26 ରନରେ 8 ୱିକେଟ ହରାଇଥିଲା । ତେବେ ହନୁମା ବିହାରୀଙ୍କ ଚୌକା ଭାରତକୁ ଟେଷ୍ଟ କ୍ରିକେଟ ଇତିହାସରେ ସର୍ବନିମ୍ନ ରନର ଅଲୋଡା କଳା ରେକର୍ଡ ଅର୍ଜନରୁ ବଞ୍ଚାଇଦେଇଥିଲା । ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର 26 ରନ କ୍ରିକେଟର ଲମ୍ବା ଫର୍ମାଟର ଇତିହାସରେ ସବୁଠୁ କମ ରନର ରେକର୍ଡ । ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଭାରତର ସର୍ବନିମ୍ନ ସ୍କୋର 42 ରହିଥିଲା । ବର୍ଷ 1974ରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ ଏହି ସ୍କୋର କରିଥିଲା ।