କରାଚୀ: ବେଳକୁ ବେଳ ଘନଉଛି ପାକିସ୍ତାନୀ ଲେଗ ସ୍ପିନର ଦାନିଶ କାରେନିଆଙ୍କ ଧାର୍ମିକ ଉତ୍ପୀଡନ ପ୍ରସଙ୍ଗ । ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖତରଙ୍କ ବଡ ବୟାନ ପରେ ଏବେ ଲାଇମଲାଇଟ୍ରେ ଦାନିଶ । ତେବେ ସୋଏବ ଅଖତରଙ୍କ ବୟାନ ପରେ ଗତକାଲି (ଶୁକ୍ରାବାର) ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକା ଯାଉଥିଲା ଏବଂ ମୋତେ ଟାର୍ଗେଟ କରାଯାଉଥିଲା । ମାତ୍ର ମୁଁ କେବେ ମୋ ଧର୍ମ ପରିବର୍ତ୍ତନ କରିନି ।
ଉଲ୍ଲେଖଥାଉ କି, ପୂର୍ବଦିନ ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର କହିଥିଲେ, ଦାନିଶ କାନେରିଆଙ୍କ ସହ ହେଉଥିଲା ପାତର ଅନ୍ତର । ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଯାହାକୁ ନେଇ ପାକିସ୍ତାନ କ୍ରିକେଟରେ ଏବେ ଝଡ ସୃଷ୍ଟି ହୋଇଛି ।
ତେବେ ଏକ ପାକିସ୍ତାନୀ ଗଣମଧ୍ୟମକୁ ନିଜର ସାକ୍ଷାତକାର ଦେଇ ଦାନିଶ କହିଛନ୍ତି, "ମୁଁ ଜଣେ ହିନ୍ଦୁ ଓ ପାକିସ୍ତାନୀ ହୋଇଥିବାରୁ ଗର୍ବିତ । ତେବେ ମୁଁ ଏଠି କହିରଖେ, ମୋ ସହ ଘଟିଥିବା ଘଟଣାରେ ସମଗ୍ର ପାକିସ୍ତାନ କ୍ରିକେଟ ବୋର୍ଡ ଦାୟୀ ନୁହେଁ । କେତେ ଜଣ କ୍ରିକେଟର ମୋ ପ୍ରତି ଏଭଳି ଆଭିମୁଖ୍ୟ ରଖିଥିଲେ । ସମସ୍ତେ ନୁହେଁ । କିଛି କ୍ରିକେଟର ମଧ୍ୟ ମୋତେ ସମର୍ଥନ କରିଥିଲେ ।"