ହାଇଦ୍ରାବାଦ: ଭାରତୀୟ ଷ୍ଟାର ବୋଲର ଭୁବନେଶ୍ବର କୁମାର ଏକଦା ଟିମ୍ ଇଣ୍ଡିଆ ପାଇଁ ବିଜୟର ଚାବିକାଠି ସାଜିଥିଲେ । ଦଳ ବେଶ ଚାପରେ ରହିଥିଲେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଗୋଟିଏ ଗୋଟିଏ ଓଭରରେ ଅବିଶ୍ବସନୀୟ ଭାବେ ବିପକ୍ଷ ଦଳ ହାତରୁ ବିଜୟ ଛଡ଼଼ାଇ ଆଣୁଥିଲେ ଭୁବି । ହେଲେ ଏବେ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ ଦେବାରୁ ସେ ଆଉ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରୁନାହାନ୍ତି । ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି ଭୁବି । ନଭେମ୍ବର ୨୦୨୨ରେ ଭୁବନେଶ୍ବର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ଏହାପରେ ସେ ଟିମ୍ ଇଣ୍ଡିଆକୁ ଆଉ ଫେରି ନାହାନ୍ତି । ଏହାରି ଭିତରେ ସେ କ୍ରିକେଟ୍ରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଛି । ଏହାର କାରଣ ହେଉଛି ସେ ନିଜ ଇନ୍ଷ୍ଟାଗ୍ରାମ୍ ବାୟୋରୁ 'କ୍ରିକେଟର୍' ଶବ୍ଦକୁ ହଟାଇଦେଇଛନ୍ତି ।
ପୂର୍ବରୁ ଭୁବନେଶ୍ବର କୁମାରଙ୍କ ଇନ୍ଷ୍ଟାଗ୍ରାମ ବାୟୋରେ ଇଣ୍ଡିଆନ୍ କ୍ରିକେଟର୍ ଲେଖା ହୋଇଥିଲା । କିନ୍ତୁ ଶୁକ୍ରବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ ବାୟୋରୁ 'କ୍ରିକେଟର୍' ଶବ୍ଦ ହଟାଯାଇ କେବଳ 'ଇଣ୍ଡିଆନ୍' ଲେଖା ହୋଇଥିବା ଦେଖିବାକୁ ମିଳିଛି । ଯଦିଓ ଏହାର କାରଣ ନେଇ ଭୁବନେଶ୍ବର ନିଜେ କିଛି ସ୍ପଷ୍ଟ କରିନାହାନ୍ତି, ତଥାପି ତାଙ୍କର ହଠାତ ଏଭଳି ନିଷ୍ପତ୍ତି ତାଙ୍କ ଅବସରକୁ ଇସାରା ଦେଉଥିବା ଚର୍ଚ୍ଚା ହେଉଛି । ୩୩ ବର୍ଷୀୟ ଏହି ଷ୍ଟାର ବୋଲର ଶେଷଥର ପାଇଁ ୨୦୨୨ ନଭେମ୍ବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନାପିଏର୍ରେ ଖେଳିଥିଲେ । ପ୍ରକାଶ ଥାଉ କି, ଭୁବନେଶ୍ବର କୁମାରଙ୍କ ଟ୍ବିଟର ଆକାଉଣ୍ଟରେ ଏବେ ବି 'ଇଣ୍ଡିଆନ୍ କ୍ରିକେଟର' ରହିଛି । ତେବେ ଭୁବନେଶ୍ବରଙ୍କର ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।