ହାଇଦ୍ରାବାଦ: ୨୦୨୪ ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ କ୍ରିକେଟର ବିଦେଶ ମାଟିରେ ଖେଳିବାର ଅନୁଭବ ରଖିବା ଦରକାର । ତେବେ ଯାଇ କ୍ରିକେଟର ଏବଂ ଦଳ ନିଜ ତ୍ରୁଟିକୁ ସହଜରେ ଜାଣିବା ସହିତ ବଡ ବଡ ଟୁର୍ଣ୍ଣାମେଣ୍ଟରେ ବିପକ୍ଷ ଦଳ ପ୍ରତି ନିଜର ସଠିକ୍ ରଣନୀତି ପ୍ରସ୍ତୁତ କରି ପାରିବ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ । ଭାରତ ବିଶ୍ବକପରୁ ବିଦା ହେବା ପରେ ଟିମ୍ ଇଣ୍ଡିଆ ବିଭିନ୍ନ ଆଲୋଚନା ଓ ସମାଲୋଚନାରେ ଶିକାର ହୋଇଛି । କିଛି କ୍ରିକେଟ ବିଶେଷଜ୍ଞ ଦଳର ଦୋଷ ଦୁର୍ବଳତାକୁ ସମାଲୋଚନା କରିବା ସହିତ କିଛି ବିଶେଷଜ୍ଞ ଆଗାମୀ ବିଶ୍ବକପ ପୂର୍ବରୁ ଭାରତ ତାର ସମସ୍ତ ତ୍ରୁଟିକୁ ସୁଧାରିବା ଦରକାର ବୋଲି ମତ ରଖିଛନ୍ତି ।
ଚଳିତ ବିଶ୍ବକପ ନକ୍ ଆଉଟରୁ ଭାରତ ବିଦା ହେବା ପରେ ଭାରତର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ କହିଛନ୍ତି ବିସିସିଆଇ ଯୁବ କ୍ରିକେଟରମାନଙ୍କୁ ବିଦେଶରେ ବିଭିନ୍ନ ଟି୨୦ ଲିଗ୍ ମ୍ୟାଚରେ ଭାଗ ନେବାକୁ ଅନୁମତି ଦେଉ । ଯାହା ଫଳରେ ସେମାନେ ବିଦେଶ ମାଟିରେ ଖେଳିବାର ଅଭିଜ୍ଞତା ସାଉଁଟି ପାରିବେ । ଏହି ବିଦେଶ ମାଟିରେ ଲିଗ୍ ମ୍ୟାଚ ଖେଳିବାର ଅନୁଭବ ୨୦୨୪ ଟି୨୦ ବିଶ୍ବକପରେ ରଣନୀତି ପ୍ରସ୍ତତ କରିବାର ବେଶ୍ ସହାୟକ ହେବ । ତେଣୁ ଭାରତୀୟ କ୍ରକେଟ ବୋର୍ଡ ଯୁବ ଖେଳାଳିମାନଙ୍କୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଥିବା ୨୦୨୪ ଟି୨୦ ବିଶ୍ବକପ ପୂର୍ବରୁ ବିଦେଶରେ ଟି୨୦ ଲିଗ୍ ମ୍ୟାଚ୍ ଖେଳିବାକୁ ଅନୁମତି ଦେବା ଦରକାର । ଭାରତୀୟ ପ୍ରିମିୟର ଲିଗ୍ (IPL) ୨୦୦୮ ମସିହରେ ପ୍ରଥମ ସଂସ୍କରଣ ଆରମ୍ଭ ହେବା ପରେ କିଛି ଦେଶ ଘରୋଇ ଟି୨୦ ଲିଗ୍ ମ୍ୟାଚ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆର ବିଗ୍ ବସ୍ ଲିଗ୍ ( ବିବିଏଲ୍ ), ପାକିସ୍ତାନ ପ୍ରିମିୟର ଲିଗ୍ (ପିଏସ୍ଏଲ୍), କାରବିୟାନ ପ୍ରିମିୟର ଲିଗ୍ (ସିପିଏଲ୍) ଭଳି ଟୁର୍ଣ୍ଣାମେଣ୍ଟ ସାମିଲ ରହିଛି ।