ହାଇଦ୍ରାବାଦ: ଜନସଂଖ୍ୟାର ହ୍ରାସକୁ ନେଇ ଚିନ୍ତାରେ ବିଶ୍ବର ସର୍ବବୃହତ୍ତ ଜନବହୁଳ ରାଷ୍ଟ୍ର ଚୀନ । ଦେଶରେ ଜନସଂଖ୍ୟାର ହ୍ରାସ ସହ କମୁଛି ବିବାହ ହାର । ଯାହାକୁ ନେଇ ଚୀନ ସରକାର ଚିନ୍ତା ପ୍ରକଟ କରିବା ସହ ବିବାହ ହାରକୁ ବୃଦ୍ଧି କରିବା ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଯୁବପିଢିଙ୍କୁ ବିବାହ କରିବା ପାଇଁ ଆକର୍ଷିତ କରିବାକୁ ବେଜିଂ ଏକ ନୂତନ ପ୍ରୟାସ ଆରମ୍ଭ କରିଛି । 25 ବର୍ଷ କିମ୍ବା ତା'ଠାରୁ କମ୍ ବୟସର ଯୁବକ ଯୁବତୀ ବିବାହ କଲେ ତାଙ୍କୁ 1000 ୟୁୟାନ ବା 137 ଡଲାର ଉପହାର ଦେବାକୁ ଘୋଷଣା କରିଛନ୍ତି ଚୀନ ସରକାର । ଦେଶରେ ଦୃତ ଗତିରେ ଜନ୍ମହାର କମୁଥିବା ବେଳେ ଜନ୍ମହାରରେ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରୋତ୍ସାହନମୂଳକ ପଦକ୍ଷପ ଗ୍ରହଣ କରୁଛନ୍ତି । ଦମ୍ପତ୍ତି ଅଧିକ ସନ୍ତାନ ଜନ୍ମ କରିବା ପାଇଁ ସରକାର ବିଭିନ୍ନ ଲୋଭନୀୟ ସ୍କିମ୍ ପ୍ରଣୟନ କରୁଛନ୍ତି ।
ସୂଚନା ଅନୁଯାୟୀ, ଚୀନର ଚାଙ୍ଗଶନ ରାଜ୍ୟର ଅଫିସିଆଲ ଉଇଚାର୍ଟ ଆକାଉଣ୍ଟରେ ଏହାକୁ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ସଠିକ୍ ବୟସରେ ବିବାହ ଏବଂ ସନ୍ତାନ ଜନ୍ମ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବା ନେଇ ଲେଖାଯାଇଛି । ୬ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଉଥିବା ଜନସଂଖ୍ୟା ଚୀନ୍ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାର ସମାଧାନ ପାଇଁ ସରକାର ବିଭିନ୍ନ ପନ୍ଥା ଖୋଜୁଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।