ଓଡିଶା

odisha

G7 Summit: ଜାପାନରେ ପହଞ୍ଚିଲେ ମୋଦି, ଜେଲେନସ୍କିଙ୍କ ସହ ହୋଇପାରେ ଦ୍ବିପାକ୍ଷିକ ଆଲୋଚନା

By

Published : May 19, 2023, 5:55 PM IST

ଜାପାନରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗଦେବାକୁ ହିରୋସିମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମ୍ମିଳନୀରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କରିପାରନ୍ତି ଦ୍ବିପାକ୍ଷିକ ଆଲୋଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ:ଜାପାନର ହିରୋସିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗଦେବାକୁ ଥିବା ବେଳେ ଏହି ଗସ୍ତରେ ସେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି । ଯଦି ଏଠାରେ ମୋଦି ଜେଲେନସ୍କିଙ୍କୁ ଭେଟନ୍ତି, ତେବେ ଏହା ୟୁକ୍ରେନ ଓ ଋଷର ଯୁଦ୍ଧ ପରେ ଉଭୟ ରାଷ୍ଟ୍ର ନେତାଙ୍କ ପ୍ରଥମ ଭେଟ ହେବ । ଏହି ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ସମେତ ୮ ରାଷ୍ଟ୍ରକୁ ନିମନ୍ତ୍ରିତ କରାଯାଇଛି ।

ମୋଦି ଶୁକ୍ରବାରଠାରୁ ୬ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ସେ ତିନି ଦେଶ (ଜାପାନ, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ)କୁ ଯିବାର କାର୍ଯ୍ୟକ୍ରମ ରହିଛି । ଜାପାନରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଏହି ୩ଦେଶର ରାଷ୍ଟ୍ରନେତା ମଧ୍ୟ ସାମିଲ ହେବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସମେତ ଅନ୍ୟ ବିଶ୍ବନେତାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ । ଆସନ୍ତାକାଲି (ଶନିବାର) ମୋଦି ଓ ଜେଲେନସ୍କିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାର ମଧ୍ୟ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- G7 summit: ଜାପାନ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜାପାନ ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଛି । ୟୁକ୍ରେନ ପ୍ରଧାନମନ୍ତ୍ରୀ ଜେଲେନସ୍କି ଜାପାନ ନିମନ୍ତ୍ରଣକୁ ଗ୍ରହଣ କରି ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ । ୟୁକ୍ରେନ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପରୋୱା ଗତ ମାସରେ ଭାରତ ଗସ୍ତ କରିଥିଲେ । ୟୁକ୍ରେନ ସହିତ ଋଷ ଯୁଦ୍ଧ ପରେ କୌଣସି ୟୁକ୍ରେନ ପ୍ରମୁଖ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ରହିଥିଲା । ଏହି ଗସ୍ତ ସମୟରେ ଝାପରୋୱା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ । ଏହି ପତ୍ର ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ।

ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ଉଭୟ ରାଷ୍ଟ୍ରର ପ୍ରମୁଖ ନେତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଗତ ବର୍ଷ ଅକ୍ଟୋବର ୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଫୋନ ଯୋଗ ଆଲୋଚନା କରିଥିଲେ । ଆଉ କହିଥିଲେ, "ଯୁଦ୍ଧ ଦ୍ବାରା କୌଣସି ସମାଧାନ ହେବ ନାହିଁ । ଭାରତ ଶାନ୍ତି ପ୍ରତିଷ୍ଠା କରିବା ଲାଗି ସମ୍ପୂର୍ଣ୍ଣ ସହଯୋଗ କରିବ ।" ସେପଟେ ଭାରତ ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ବିରୋଧ ମଧ୍ୟ କରିନାହିଁ । ମାତ୍ର କୂଟନୈତିକ ସ୍ତରରେ ଏହାର ସମାଧାନ ନିଶ୍ଚିତ ବାହାରିବ ବୋଲି ଦେଶ ସର୍ବଦା କହିଆସିଛି ।

ABOUT THE AUTHOR

...view details