ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ମନ୍ତ୍ରୀଙ୍କ ଚିଠିର ୨ ମାସ ପରେ ପଦକ୍ଷେପ ନିଆଯାଇଛି । ଫଳରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ESICର ଉପ ଆଞ୍ଚଳିକ କାର୍ଯ୍ୟାଳୟ । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ESIC(Employees' State Insurance)ର ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି । ସେହିଭଳି ଯାଜପୁର ଜିଲ୍ଲାର ଡୁବୁରିରେ 100 ଶଯ୍ୟା ବିଶିଷ୍ଟ ESI ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯିବା ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତ ସେପ୍ଟେମ୍ବର 29 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Union Minister Dharmendra Pradhan) କେନ୍ଦ୍ରଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପତ୍ର ଲେଖି ଭୁବନେଶ୍ବର ESICର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଝାରସୁଗୁଡ଼ା ଠାରେ ESICର ଉପ ଆଞ୍ଚଳିକ କାର୍ଯ୍ୟାଳୟ(ESIC Sub-regional office) ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ । ESIC ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିଜ ପତ୍ରରେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଥିବା ସମସ୍ୟାକୁ ଦର୍ଶାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଭୁବନେଶ୍ବରରେ ଥିବା ESICର ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟର ପୂର୍ବାଞ୍ଚଳରେ ଅବସ୍ଥାପିତ ଅଛି । ଏହି କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂର ଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ESICର ଉପ ଆଞ୍ଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ।