ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ASI ସହିତ ସମନ୍ବୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ପିନାକୀ କହିଛନ୍ତି ଯେ, ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆଇନ ପରିସରରେ ଆସୁନାହିଁ । ଏଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି । ଏହାଛଡ଼ା NMA ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍ଓସି ଦେଇଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି ।
ପିନାକୀ ଆହୁରି ମଧ୍ୟ କହିଛନ୍ତି ଯେ, "ASI ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍ଆଇ ପରସ୍ପର ଭିତରେ ସମନ୍ବୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।"