ଓଡିଶା

odisha

ପୁଣି ଥରେ ରଙ୍ଗୀନ ହେବ ରାଜଧାନୀ ଡ୍ୟାନ୍ସ ବାର

By

Published : Sep 23, 2019, 7:53 PM IST

ସଞ୍ଜ ନଇଁଲେ ଏଣିକି ରାଜଧାନୀରେ ରଙ୍ଗୀନ ହେବ ରାତି । ଆଉ ଲୁଚାଛପା ନୁହେଁ ଖୁଲମଖୁଲା ବାର ଡ୍ୟାନ୍ସରଙ୍କ ନାଚରେ ମତୁଆଲା ହେବେ ଗ୍ରାହକ । କାରଣ ରାଜଧାନୀର 7ଟି ଡ୍ୟାନ୍ସ ବାର୍‌କୁ ଏଥିପାଇଁ ମିଳିସାରିଛି ଅନୁମତି । ହେଲେ ବାର ଖୋଲିବାକୁ ବାର୍‌ ମାଲିକଙ୍କୁ ମାନିବାକୁ ପଡିଛି ପ୍ରଶାସନ ଦ୍ବାରା ପ୍ରସ୍ତୁତ ଗାଇଡଲାଇନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଣିକି ଲୁଚାଛପା ନୁହେଁ ରାଜଧାନୀରେ ଖୁଲମଖୁଲା ଚାଲିବ ଡ୍ୟାନ୍ସ ବାର୍‌ । ବାରରେ ନାଚିବେ ବାର୍‌ଗାର୍ଲ । କାରଣ ରାଜଧାନୀ ଭୁବନେଶ୍ବରର 7ଟି ଡ୍ୟାନ୍ସ ବାର୍‌କୁ ଏଥିପାଇଁ ମିଳିସାରିଛି ଅନୁମତି । ହେଲେ ସ୍ବତନ୍ତ୍ର ଗାଇଡଲାଇନ ଓ କଟକଣା ସହ ଚାଲିବେ ଏହି ଡ୍ୟାନ୍ସ ବାର୍‌ର ମାଲିକ ।

କମିଶନରଙ୍କ ଦ୍ବାରା ପ୍ରସ୍ତୁତ ଗାଇଡଲାଇନ

ଭୁବନେଶ୍ବରରେ ଡ୍ୟାନ୍ସ ବାର ଖୋଲିବା ପାଇଁ 11ଟି ଡ୍ୟାନ୍ସ ବାର ମାଲିକ ଆବେଦନ କରିଥିଲେ । ତନ୍ମଧ୍ୟରୁ 7ଟି ବାରକୁ କଟକ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ତେବେ ଅନୁମତି ପାଇଥିବା ଡ୍ୟାନ୍ସ ବାରରେ କିଛି ଗାଇଡଲାଇନ ଜାରି ହୋଇଛି । ଏଣିକି ବାରଗାର୍ଲଙ୍କ ଉପରେ ଟଙ୍କା ଉଡାଇପାରିବେନି ଗ୍ରାହକ । ବରଂ ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର୍‌ ମ୍ୟାନେଜରଙ୍କୁ ଦେଇପାରିବେ । ବାରଗାର୍ଲ କୌଣସି ପ୍ରକାରର ଉତ୍ତେଜିତପୂର୍ଣ୍ଣ ପୋଷାକ ପିନ୍ଧି ପାରିବେନାହିଁ କି ଉତ୍ତେଜିତପୂର୍ଣ୍ଣ ଡ୍ୟାନ୍ସ କରିବେନାହିଁ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ସେହିପରି ୧୦ ଫୁଟ, ୧୨ ଫୁଟ ଡ୍ୟାନ୍ସ ଫ୍ଲୋରରେ କେବଳ 8ଜଣ ଡ୍ୟାନ୍ସ କରିପାରିବେ । ଗୁରୁତ୍ବପୂର୍ଣ୍ଣ ବିଷୟ, ବାର ଚାରିପଟେ 3 ଫୁଟର ବାଡ ରହିବ ଏବଂ ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ 5 ଫୁଟର ଦୂରତା ରହିବ । 21 ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯିବନାହିଁ । ଆଉ ମହିଳା ଡ୍ୟାନ୍ସରଙ୍କ ପାଇଁ ପରିଚୟପତ୍ର ଲାଗୁ କରିବେ ବାର କର୍ତ୍ତୃପକ୍ଷ । ଏଥିସହ ଡ୍ୟାନ୍ସରଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯିବା ଆସିବା ସମୟ ଏବଂ ସୁରକ୍ଷା ପାଇଁ ସିକ୍ୟୁରିଟିର ବ୍ୟବସ୍ଥା ରହିବ । ଆଉ ବାର ଡ୍ୟାନ୍ସରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକଅପ୍‌ ରହିବ । ତତ୍‌ସହିତ ବାରରେ ଫାୟାର ସେଫ୍ଟି ବାଧ୍ୟତାମୂଳକ ରହିବା ସହ କୌଣସି ପରିସ୍ଥିତିରେ ଡ୍ୟାନ୍ସ ବାରରେ ସେକ୍ସ ରାକେଟ ଚାଲିବ ନାହିଁ । ଯଦି ସେମିତି କିଛି କାର୍ଯ୍ୟକଳାପର ସୂଚନା ମିଳେ ତେବେ 25ହଜାର ପର୍ଯ୍ୟନ୍ତ ଜୋରିମାନା ସହ ବାରର ଲାଇସେନ୍ସ ରଦ୍ଦ ହେବାର କଟକଣା ଲଗାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details