ଓଡିଶା

odisha

ଦ୍ବିତୀୟ ଦିନରେ ବିଜେଡି ବୈଠକ: ପଦଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

By

Published : Sep 30, 2022, 8:42 PM IST

ଦ୍ବିତୀୟ ଦିନରେ ବିଜେଡି ବୈଠକ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଚାଲିଛି ବିଜେଡି କର୍ମକର୍ତ୍ତା ତାଲିମ ଶିବିର । ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ଏହି ପଦଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଦ୍ବିତୀୟ ଦିନରେ ବିଜେଡି ବୈଠକ: ପଦଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଦ୍ବିତୀୟ ଦିନରେ ବିଜେଡି ବୈଠକ: ପଦଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଦ୍ବିତୀୟ ଦିନରେ ବିଜେଡି ବୈଠକ । ବରମୁଣ୍ଡା ପଡିଆରେ ଚାଲିଛି ବିଜୁ ଜନତା ଦଳର କର୍ମକର୍ତ୍ତା ତାଲିମ ଶିବିର । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । କିନ୍ତୁ ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ଦଳୀୟ କର୍ମୀଙ୍କୁ କହିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦ୍ବିତୀୟ ଦିନରେ ବିଜେଡି ବୈଠକ: ପଦଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ରାଜଧାନୀରେ ବିଜେଡି ଓ ବିଜେପିର ପାୱାର ସୋ ଜାରି ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଚ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ସେପେଟ ବିଜେପିକୁ ଟକ୍କର ଦେବା ପାଇଁ ବରମୁଣ୍ଡା ପଡିଆରେ ବିଜୁ ଜନତା ଦଳ ଆୟୋଜିତ କରିଛି କର୍ମକର୍ତ୍ତା ତାଲିମ ଶିବିର । ତେବେ ଉଭୟ ଦଳର କସରତ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ବିଜୁ ଜନତା ଦଳର ସୁପ୍ରିମୋ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ବାଭିମାନକୁ ପ୍ରାଥମିକତା ଦେଇ ଆସିଛୁ । ଆଗକୁ ମଧ୍ୟ ଦେଇ ଚାଲିବୁ । ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି । ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁଥିବା ଜନସଂପର୍କ ପଦଯାତ୍ରାକୁ ସାରା ରାଜ୍ୟରେ ସଫଳ କରାନ୍ତୁ ।"

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ଓ ଅରୁଣ ସାହୁ ପ୍ରମୁଖ ଦ୍ବିତୀୟ ଦିନର ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଛନ୍ତି । ସାଂଗଠନିକ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ବଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜନ ପ୍ରତିନିଧି ଏବଂ ଜିଲ୍ଲା ଓ ବ୍ଳକ୍ ସ୍ତରାୟ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ନିଜ ବକ୍ତବ୍ୟରେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି । ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିସର୍ତ୍ତ ଭାବେ ଭଲ ପାଉଥିବାରୁ ୫ ଥର ମୁଖ୍ୟମନ୍ତ୍ରୀ କରାଇଛନ୍ତି । ଏବେ ଷଷ୍ଠ ଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଆମକୁ ସେ ଦାୟିତ୍ଵ ନେବାକୁ ହେବ ଓ କଠିନ ପରିଶ୍ରମ କରିବାକୁ ହେବ ।" ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, "୬୦ ଦଶକରେ ଓଡ଼ିଶା ପ୍ରତି ଆରମ୍ଭ ହୋଇଥିବା ଏହି ଅବିଚାର ଏବେ ବି ଜାରି ରହିଛି । ରେଳବାଇଠୁ ନେଇ ବିପର୍ଯ୍ୟୟ ସହାୟତା ଓ ଉଷୁନା ଚାଉଳ ଉଠାଣ ପର୍ଯ୍ୟନ୍ତ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି । ତେଣୁ କେନ୍ଦ୍ରର ଏହି ଅବିଚାର ବିରୋଧରେ ଆମର ଲଢ଼େଇ ଜାରି ରହିବ ।"

ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, "ବିପର୍ଯ୍ୟୟକୁ ସଫଳ ମୁକାବିଲା କରିବାରେ ଓଡ଼ିଶା ଆଜି ସାରା ବିଶ୍ଵକୁ ଦିଗଦର୍ଶନ ଦେଉଛି । ପ୍ରାକୃତ୍ରିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ "ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ" ଆହ୍ବାନ ଦେବା ପରେ ଓଡ଼ିଶା ମଡେଲକୁ ଦେଖି ପ୍ରଶିକ୍ଷଣ ନେବା ପାଇଁ ଅନ୍ୟ ରାଜ୍ୟର ଅଫିସରମାନେ ଓଡ଼ିଶା ଆସୁଛନ୍ତି ।" ତେବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି ।" ସେହିଭଳି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "୨୦୦୦ ମସିହାରେ ରାଜ୍ୟର ବଜେଟ ସାଢେ ୧୧ ହଜାର କୋଟିରୁ ବଢି ୨ ଲକ୍ଷ କୋଟିରେ ପହଞ୍ଚିଛି । ଆର୍ଥିକ ସୁପରିଚାଳନା ଯୋଗୁଁ ଓଡ଼ିଶା ଦୃତ ଗତିରେ ଆଗେଇ ଚାଲିଛି ।"

ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି ବୋଲି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ କହିଛନ୍ତି । ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓଡ଼ିଶା ସରକାର କିପରି ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ସାଢ଼େ ଚାରି କୋଟି ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛନ୍ତି । ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଛନ୍ତି । ତେବେ ଦ୍ବିତୀୟ ଦିନର ବୈଠକରେ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଶାନ୍ତ ସିଂ, ଦଳର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details