ଓଡିଶା

odisha

ବଳକା ଖରିଫ୍ ଧାନ କ୍ରୟ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ କିଷାନ ମୋର୍ଚ୍ଚା

By

Published : Feb 25, 2021, 4:37 PM IST

ରାଜ୍ୟରେ ଧାନ କିଣା ବିକାର ଚରମ ଅବହେଳାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ପ୍ରଦେଶ କଂଗ୍ରେସ କିଷାନ ପ୍ରତିନିଧି ଦଳ । ଅଧିକ ପଢନ୍ତୁ...

ବଳକା ଖରିଫ୍ ଧାନ କ୍ରୟ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ କିଷାନ ମୋର୍ଚ୍ଚା
ବଳକା ଖରିଫ୍ ଧାନ କ୍ରୟ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ କିଷାନ ମୋର୍ଚ୍ଚା

ଭୁବନେଶ୍ବର:୨୦୨୦ ଖରିଫ ଚାଷରେ ଧାନ ବିକ୍ରି ପାଇଁ ୧୪ ଲକ୍ଷ ୭୨ ହଜାର ଚାଷୀ ନାମ ପଞ୍ଜିକରଣ କରିଥିବା ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କରିଥିବା ମୋଟ୍ ଚାଷୀଙ୍କ ମଧ୍ୟରୁ ୧୦ ଲକ୍ଷ ୩୫ ହଜାର ଚାଷୀଙ୍କଠାରୁ ସରକାର ଧାନ କ୍ରୟ କରିଛନ୍ତି । କିନ୍ତୁ ମାର୍ଚ୍ଚ ୩୧ ସୁଦ୍ଧା ଧାନ କ୍ରୟ କରିବାର ସମୟ ସୀମା ରହିଛି । ତେବେ ସରକାରଙ୍କ ଧାନ କ୍ରୟ ଅବ୍ୟବସ୍ଥା ଯୋଗୁଁ ବର୍ତ୍ତମାନ ରାଜ୍ୟର ପ୍ରାୟ ୪ ଲକ୍ଷ ୩୭ ହଜାର ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବ କି ନାହିଁ ସନ୍ଦେହ ଉପୁଜିଛି ।

ଚାଷୀ ଟୋକନ ପାଇଥିବାବେଳେ ସରକାରଙ୍କ ଚରମ ଅବହେଳାରୁ ଧାନ କ୍ରୟ କରାନଯିବା ଦ୍ବାରା ଟୋକନ ଅବଧି ଶେଷ ହୋଇଛି । ସମୟ ଅବଧି ପରେ ଟୋକନକୁ ଆଉ ବୈଧ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଫଳରେ ଚାଷୀମହଲରେ ଘୋର ନୈରାଶ୍ୟଭାବ ଦେଖା ଦେଇଛି ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ବହୁ କଷ୍ଟ ଅର୍ଜିତ ଧାନକୁ ଚାଷୀ କରିବେ କଣ ? ଋଣ ପରିଶୋଧ କରିବେ କିପରି ? ଚାଷୀଙ୍କୁ ଟୋକନ ଦିଆଯାଇ ମଣ୍ଡିକୁ ଟାର୍ଗେଟ ଦେବା ବନ୍ଦ କରାଗଲାଣି । ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ମଣ୍ଡିରେ ପଡ଼ିଛି । ମିଲର ମନମାନିରେ ଧାନ କ୍ରୟ କରାଯାଉଛି । ବସ୍ତା ପିଛା ୫ ରୁ ୭ କେଜି କଟନି ଛଟନି କରାଯାଉଛି । ମିଲର, ପ୍ରଶାସନ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କୁ ଶୋଷଣ କରାଯାଉଛି । ଧାନର ଏଫ୍ଏକ୍ୟୁ ମାନ କି ନୁହେଁ ତାକୁ ନିର୍ଦ୍ଧାରଣ କରିବାକୁ ଅନେକ ମଣ୍ଡିରେ ବି ମେସିନ୍ ନାହିଁ । ଧାନ ବସ୍ତା ବାବଦ ବିକ୍ରି ଓ ପରିବହନ ଖର୍ଚ୍ଚ ଚାଷୀଙ୍କୁ ଦିଆଯାଉନାହିଁ । ବହୁ ସ୍ଥାନରେ ମଣ୍ଡିରୁ ମିଲର ଧାନ ଉଠାଉ ନାହାଁନ୍ତି । ଏସବୁ ସମସ୍ୟାରୁ ତୁରନ୍ତ ସମାଧାନ ପାଇଁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧ୍ୟ ଦଳ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି ।

ସରକାରଙ୍କ ଘୋଷଣା ଅନୁଯାୟୀ ପଞ୍ଜିକୃତ ହୋଇଥିବା ଆଉ ବଳକା ୪ ଲକ୍ଷ ୩୭ ହଜାର ଚାଷୀଙ୍କ ଠାରୁ ନିଃସର୍ତ୍ତରେ ସମସ୍ତ ବଳକା ଧାନ କ୍ରୟ, ଧାନ କ୍ରୟ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅମୀୟ ଦାବି କରିଛନ୍ତି । ସଠିକ୍ ଭାବରେ ଧାନ କିଣା ପାଇଁ ସରକାର ପ୍ରତି ବ୍ଲକସ୍ତରରେ ତୁରନ୍ତ ସ୍କ୍ବାର୍ଡ ଗଠନ, କଟନି ଛଟନି ବନ୍ଦ, ପ୍ରତି ଅଖାର ମୂଲ୍ୟ ଓ ପରିବହନ ଖର୍ଚ୍ଚ ଚାଷୀଙ୍କୁ ପ୍ରଦାନ, ଆବଶ୍ୟକ ସ୍ଥଳେ ଟୋକନ ବ୍ୟବସ୍ଥା ଉଚ୍ଛେଦ, ଧାରା - ୧୩ ଅନୁଯାୟୀ ଏଫସିଆଇ ସିଧା ସଳଖ ଚାଷୀଙ୍କ ଠାରୁ ଧାନ କିଣିବାକୁ ଦାବି କରିଛନ୍ତି ଅମୀୟ । ରାଜ୍ୟ ସରକାର ଛତିଶଗଡ଼ ଭଳି ଓଡ଼ିଶାର ଚାଷୀଙ୍କୁ ଧାନ ପ୍ରତି କ୍ବିଣ୍ଟାଲରେ ୫୦୦ ଟଙ୍କା ଅତିରିକ୍ତ ସହାୟତା ଦେବା ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ପ୍ରତିନିଧୀ ଦଳରେ ଚାଷୀନେତା ସାନନ୍ଦ ମିଶ୍ର, ବିପ୍ରବର ସାହୁ, ଧୃବ ଚରଣ ପରିଡ଼ା, ବସନ୍ତ ମହାରଣା, ନିରଞ୍ଜନ ବେହେରା, ଯଶୋଦା ନନ୍ଦନ ସିଂ, କ୍ଷୀରୋଦ କୁମାର ବେହେରା, ସରୋଜ ରଥ, ସରୋଜ ପ୍ରଧାନ, ବିଶ୍ୱଜିତ ନାଥ, ଅତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details