ଭୁବନେଶ୍ବର: ଆଇସିସିଆରର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆଇସିସିଆର୍ ର (Indian Council for Cultural Relations) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଶେଷରେ ବନ୍ଦ ହୋଇଯାଇଛି । ପଳାସପଲ୍ଲୀ ସ୍ଥିତ ଏହି କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର କରାଯାଇଛି । ଏଣିକି କୋଲକାତା ସ୍ଥିତ ଆଇସିସିଆରର ଜୋନ୍ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା ସମ୍ପର୍କିତ ସମସ୍ତ କାର୍ଯ୍ୟ କରାଯିବ । ଏ ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।
ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନାନ୍ତର ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ସଂସ୍କୃତି ପ୍ରେମୀ । ଆଇସିସିଆରର କର୍ତ୍ତୃପକ୍ଷ ଗତ ମେ ୧୮ ତାରିଖରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ହେଲେ ଏହି ଦେଢ଼ ମାସରେ ରାଜ୍ୟ ସରକାର ଏହାକୁ ରୋକିବାକୁ କିଛି ପଦକ୍ଷେପ ନେଲେ ନାହିଁ ଯାହା ଫଳ ସ୍ବରୂପ ଆଜି ଗେଟରେ ତାଲା ଝୁଲୁଛି l