ଭୁବନେଶ୍ବର: ପୌର ନିର୍ବାଚନରେ ଶାସକ ଦଳ ବିଜେଡ଼ିର ବିପୁଳ ବିଜୟ ହୋଇଛି । ଏହାପରେ କିଛି ଅଫିସରମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭେଟଘାଟକୁ ତୀବ୍ର ନିନ୍ଦା କରିଛି ବିଜେପି । ଓଡ଼ିଶାରେ ଏହା ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି । ପ୍ରଶାସନିକ ଇତିହାସରେ କଳଙ୍କର ଦାଗ ସୃଷ୍ଟି ହୋଇଛି ବୋଲି ବିଜେପି ପ୍ରେସମିଟ କରି କହିଛି ।
ବିଜେପି ଏ ନେଇ କହିଛି ଯେ ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ଯାହା ଦେଖିବାକୁ ମିଳିଲା ତାହା ସମଗ୍ର ଦେଶରେ କେବେ ଦେଖିବାକୁ ମିଳିନଥିଲା । ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ । ସମ୍ବିଧାନର ୪ଟି ସ୍ତମ୍ଭ ମଧ୍ୟରୁ ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ସ୍ତମ୍ଭ । ଦେଶର ବିକାଶ ଓ ଅଖଣ୍ଡତାର ସୁରକ୍ଷା ପ୍ରଶାସନିକ ଅଧିକାରୀ ମାନଙ୍କର ଦାୟିତ୍ବ । କିନ୍ତୁ ସମସ୍ତ ସୀମା ଓ ପଦ ମର୍ଯ୍ୟାଦାର ସୀମା ବା ଲକ୍ଷ୍ମଣ ରେଖା ଉଲ୍ଲଙ୍ଘନ କରିଛନ୍ତି ପ୍ରଶାସନିକ ଅଧିକାରୀ । ସମ୍ବିଧାନର ନୀତି ଓ ଆଦର୍ଶକୁ ଜ୍ବଳାଞ୍ଜଳୀ ଦେଇଛନ୍ତି । ଏହା ଦେଖିଲା ପରେ ବିଜେଡ଼ି ଅମଲାତନ୍ତ୍ରିକ ବ୍ୟବସ୍ଥାକୁ ବ୍ୟବହାର କରି ନିର୍ବାଚନ ଜିତିଛି ବୋଲି ପ୍ରମାଣିତ ହେଉଛି ।
ଯେଉଁ ବାବୁ ମାନେ ବିଜେଡ଼ି ରାଜ୍ୟ ସଭାପତିଙ୍କୁ ଭେଟିବାକୁ ଯାଇଥିଲେ । ସେମାନେ ଏକ ଗର୍ହିକ ଅପରାଧ କରିଛନ୍ତି । ଓଡିଶାବାସୀଙ୍କ ପାଖରେ ଅପରାଧ କରିଛନ୍ତି । ଅମଲାତାନ୍ତ୍ରିକ ବ୍ୟବସ୍ଥା ଉପରୁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ ତୁଟି ଯାଇଛି । ସରକାରୀ ବାବୁ ମାନେ ବିଜେଡ଼ିର ନେତା ଓ ବିଧାୟକ ମାନଙ୍କର ବଚସ୍କର ସାଜିଛନ୍ତି । ସେଥିପାଇଁ ରାଜ୍ୟରେ ଭ୍ରଷ୍ଟାଚାର ବ୍ୟାପକ ହୋଇଛି । ଶାସନ ବ୍ୟବସ୍ଥାରେ ଯେଉଁଠି ବି ହାତ ମାରିଲେ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି । ଓଡିଶା ରାଜ୍ୟ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁ ପଛରେ ରହିଛି ବୋଲି କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।