ଭୁବନେଶ୍ବର :ବାବା ସାହେବ ଆମ୍ବେଦକରଙ୍କ 132ତମ ଜୟନ୍ତୀ ଆଜି ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ୍ବେଦକରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି କହିଛି ଯେ ଆମ୍ବେଦକରଙ୍କ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି, ତାହାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଦଳିତଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ବାଟମାରଣା କରିଛନ୍ତି ସରକାର । ଜାତି ବିହୀନ ସମାଜ ତିଆରି କରିବା ଥିଲା ଆମ୍ବେଦକରଙ୍କ ଲକ୍ଷ୍ୟ । ଆଉ ସେହି ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ହେଲେ ରାଜ୍ୟ ସରକାର ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି ।
ମୁଦ୍ରା ଯୋଜନା ଅଧୀନରେ ଏସସି,ଏସଟି ଓ ଓବିସି ୩୪, ୪୧ କୋଟି ହିତାଧିକାରୀଙ୍କ ଆକାଉଣ୍ଟରେ ୧୮.୬୦ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଣ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ୩.୧ କୋଟି ମାଗଣା ଗ୍ୟାସ ସଂଯୋଗ । ଆବାସ ଯୋଜନା ଅଧୀନରେ ଏସ୍ସି/ଏସ୍ଟି ହିତାଧିକାରୀଙ୍କୁ ୧.୩୧ କୋଟି ପକ୍କା ଘର । ୭୯ ହଜାର ଦଳିତ ଶ୍ରମିକଙ୍କୁ ୨୭.୮ ହଜାର କୋଟି ଟଙ୍କାର ସହାୟତା । ଏସ୍ସି/ଏସ୍ଟି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତିରେ ଦୁଇଗୁଣା ବୃଦ୍ଧି -୨୦୧୩-୧୪ରେ ୩.୬ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୧-୨୨ରେ ୬.୭ ହଜାର କୋଟି ଟଙ୍କାରେ ପହଞ୍ଚିଲା । ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏସ୍ସି/ଏସ୍ଟି ହିତାଧିକାରୀଙ୍କୁ ୫.୩ ହଜାର କୋଟି ଟଙ୍କା ସହାୟତା ମିଳିଛି । ୨.୭ ଲକ୍ଷ ଏସ୍ ଯୁବକମାନଙ୍କୁ ମାଗଣା ପ୍ରଶିକ୍ଷଣ । ଭେଞ୍ଚର କ୍ୟାପିଟାଲ ଫଣ୍ଡ ଜରିଆରେ ଉଦ୍ୟୋଗୀମାନଙ୍କୁ ୪୫୦ କୋଟି ଟଙ୍କା ପ୍ରଦାନ ।
୨ ହଜାର ଗ୍ରାମ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ହେଲେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ବାଟମାରଣା ସହ ଅନ୍ୟ ବାଟରେ ଖର୍ଚ୍ଚ କରୁଛନ୍ତି ସରକାର । ଓଡିଶା ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ସମଗ୍ର ରାଜ୍ୟରେ ଏହି ବର୍ଗର ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ଆଡଭାଇଜାରି କମିଟି ଥିଲେ ମଧ୍ୟ ତାହାର ବୈଠକ ଥରୁଟିଏ ବସୁ ନାହିଁ । ଯେତେବେଳେ କି ବର୍ଷକୁ ତିନିଥର ବୈଠକ ବସିବାର ପ୍ରାବଧାନ ରହିଛି ।