ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ଆୟୁଷ ବିଭାଗର ମୁଖ୍ୟ ତଥା ଓଏସ ଅଫିସର ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ଗିରଫ କରିଛି ଭୁବନେଶ୍ବର ମହିଳା ଥାନା ପୋଲିସ । କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଭୂ ପ୍ରସାଦ । ଏନେଇ ମହିଳା କର୍ମଚାରୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର କରିଥିଲେ । ନିର୍ଦ୍ଦେଶକ ତାଙ୍କ ସହ ମୋବାଇଲରେ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଚାଟିଂ କରିଥିଲେ । ଫୋନରେ ମଧ୍ୟ ତାଙ୍କ ସହ ଆପତ୍ତିଜନକ କଥାବାର୍ତ୍ତା କରିଥିଲେ। ବାରମ୍ବାର ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଥିଲେ ଯୁବତୀ ଜଣକ ।
ମହିଳା ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ବିଭୂ ପ୍ରସାଦଙ୍କୁ ଗିରଫ କରାଯାଇଛି । ଆଇପିସି ଧାରା ୩୫୪ (ଡି),୨୯୪, ୫୦୬, ୫୦୭, ୫୦୯, ଆଇଟି ଆକ୍ଟ ୬୭,୬୭ (ଏ)ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।