ଶିମଲା: ହିମାଚଳ ପ୍ରଦେଶରେ ବଜାୟ ରହିଲା ପରମ୍ପରା । ପାହାଡି ରାଜ୍ୟରେ ମଉଳି ଗଲା ପଦ୍ମ । ଶାସକ ଭାରତୀୟ ଜନତା ପାର୍ଟି(BJP) ହାତରୁ କ୍ଷମତା ଛଡାଇ ନେଲା କଂଗ୍ରେସ । ହିମାଚଳ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ଶେଷରେ ଭୋଟ ଗଣତି ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି । କଂଗ୍ରେସକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ହିମାଚଳବାସୀ । କଂଗ୍ରେସ ମ୍ୟାଜିକ ନମ୍ବର ୩୫ ଅତିକ୍ରମ କରିସାରିଛି । ସଦ୍ୟତମ ରେଜଲ୍ଟ ଅନୁସାରେ କଂଗ୍ରେସ ୪୦ ଆସନରେ ବିଜୟ ରେକର୍ଡ କରିଛି । ବିଜେପି ଖାତାକୁ ଯାଇଛି ମାତ୍ର ୨୫ଟି ଆସନ । ସେହିପରି ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଥିବାରୁ ବିଜେପିର ପ୍ଲାନ-ବି ମଧ୍ୟ ନିଷ୍କ୍ରିୟ ହୋଇଯାଇଛି । ତେଣୁ ବିଜେପି ଚୂଡାନ୍ତ ଫଳାଫଳ ଘୋଷଣା ପୂର୍ବରୁ ପରାଜୟ ସ୍ବୀକାର କରିଛି ।
ହିମାଚଳରେ କଂଗ୍ରେସ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇସାରିଛି । ହେଲେ ବର୍ତ୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ ହୋଇଛି ହିମାଚଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବ କିଏ (Who Will Be Himachal Chief Minister) ? ହିମାଚଳରେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିନଥିବାରୁ ଏହି ପାହାଡି ରାଜ୍ୟର କିଏ ମୁଖିଆ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହାରି ଭିତରେ ହିମାଚଳ କଂଗ୍ରେସର କିଛି ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ନାମ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ସାମ୍ନାକୁ ଆସିଛି । ସେମାନେ ହେଲେ...
1. ପ୍ରତିଭା ସିଂହ(Pratibha Singh):
ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ହେଉଛନ୍ତି ପ୍ରତିଭା ସିଂହ । ସେ ହିମାଚଳ କଂଗ୍ରେସ ସଭାପତି ଦାୟିତ୍ବରେ ଅଛନ୍ତି । ଏହାସହିତ ପ୍ରତିଭା ସିଂହ ମଣ୍ଡି ଲୋକସଭା ଆସନରେ ସାଂସଦ ରହିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାଁନ୍ତି । ହେଲେ ନିର୍ବାଚନରେ କଂଗ୍ରେସ ବୀରଭଦ୍ର ସିଂହଙ୍କ ନାଁ ନେଇ ସବୁଠି ପ୍ରଚାର କରିଥିବାରୁ ତାଙ୍କର ପତ୍ନୀ ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ବୋଲି କୁହାଯାଉଛି । ଏହାସହିତ ଦଳ ତାଙ୍କର ପୁଅ ବିକ୍ରମାଦିତ୍ୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।