ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଜାରି ରହିଛି ବିଜେପିର ପ୍ରଚାର ଅଭିଯାନ । ଆଜି ପ୍ରଧାନମନ୍ତ୍ରୀ ମୋଦି କାନପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ନିର୍ବାଚନୀ ସନସଭାକୁ ସମ୍ବୋଧିତ କରିବା ସମୟରେ ଚିରାଚରିତ ଢଙ୍ଗରେ ପରିବାରବାଦ ରାଜନୀତି ପ୍ରସଙ୍ଗ ଉଠାଇ ସମାଜବାଦୀ ପାର୍ଟିକୁ ପରୋକ୍ଷ ଆକ୍ରମଣ କରିଛନ୍ତି ମୋଦି । ସେହିପରି ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥିବା ହିଜାବ ବିବାଦ ପରେ ଆରମ୍ଭ ହୋଇଥିବା ରାଜନୈତିକ ସ୍ଥିତିକୁ ଦେଖି, ଉତ୍ତର ପ୍ରଦେଶରେ ବିଜେପି ଶାସନ କାଳରେ ହିଁ ସଂଖ୍ୟାଲଘୁ ତଥା ମୁସଲିମ ଛାତ୍ରୀମାନେ ଅଧିକ ସୁରକ୍ଷିତ ବୋଲି ମୋଦି କହିଛନ୍ତି ।
କାନପୁର ଦେହାତରେ ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତର ପ୍ରଦେଶରେ ବିଜେପି ଶାସନରେ ମୁସଲିମ ବାଳିକାମାନଙ୍କ ସ୍କୁଲ ଓ କଲେଜ ଯିବା ସଂଖ୍ୟା ବଢିଛି । ସେହିପରି ସେମାନଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ସରକାର ସର୍ବଦା ତତ୍ପରତା ଦେଖାଇଛି । ଅପରାଧୀମାନଙ୍କୁ ସେମାନଙ୍କ ଉଚିତ ଠିକଣାରେ ସରକାର ପହଞ୍ଚାଇବାରେ ଲାଗିଛନ୍ତି । ବର୍ତ୍ତମାନ ରାସ୍ତା ସଂଖ୍ୟାଲଘୁ ଛାତ୍ରୀମାନେ ନିଜ ସୁରକ୍ଷା ନେଇ ଚିନ୍ତିତ ନୁହନ୍ତି, ସ୍କୁଲ କଲେଜ ଯିବାରେ ଆଗ୍ରହ ମଧ୍ୟ ଦେଖାଇବାରେ ଲାଗିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ ଉତ୍ତର ପ୍ରଦେଶରେ ଶାସକ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ନିର୍ବାଚନରେ ସମାଜବାଦୀ ପାର୍ଟି ତାର ସହଯୋଗୀ ଦଳ ବଦଳାଇବାରେ ଲାଗିଛି । ରାଜ୍ୟରେ ସପା କଣ ସ୍ଥିର ଶାସନ ଦେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ମଧ୍ୟ କରିଛନ୍ତି । ଚଳିତଥର ସମାଜବାଦୀ ପାର୍ଟି ଜୟନ୍ତ ଚୌଧୁରୀଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଦଳ ଓ ଅନ୍ୟ କିଛି ଛୋଟ ରାଜନୈତିକ ଦଳ ସହଯୋଗରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଗତଥର (୨୦୧୭) ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟରେ ନିର୍ବାଚନ ଲଢିଥିଲା ଦଳ । ବିଫଳ ହେବା ପରେ ଚଳିତଥର କଂଗ୍ରେସର ହାତ ଛାଡି ଅନ୍ୟ ମେଣ୍ଟ କରିଛି ସମାଜବାଦୀ ପାର୍ଟି ।