ଓଡିଶା

odisha

ଚିକିତ୍ସା ଅବହେଳାରୁ ଡାକ୍ତରାଣୀଙ୍କ ମୃତ୍ୟୁ, ୧ କୋଟି ଜରିମାନା ଗଣିବ ହସ୍ପିଟାଲ

By

Published : Jan 18, 2023, 9:08 AM IST

ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଡାକ୍ତରାଣୀ । ହସ୍ପିଟାଲକୁ ୧ କୋଟି ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ହସ୍ପିଟାଲ ଉପରେ ୧ କୋଟି ଜରିମାନା
ହସ୍ପିଟାଲ ଉପରେ ୧ କୋଟି ଜରିମାନା

କୋଲକାତା: ଡାକ୍ତରାଣୀଙ୍କ ମୃତ୍ୟୁ ପାଇଁ ଘରୋଇ ହସ୍ପିଟାଲ ଉପରେ ମୋଟା ଅଙ୍କର ଜରିମାନା । ଚିକିତ୍ସା ଅବହେଳା କାରଣରୁ ଡାକ୍ତରାଣୀଙ୍କ ମୃତ୍ୟୁ ମାମଲାରେ କୋଲକାତାର ଏକ ଘରୋଇ ହସ୍ପିଟାଲ ୧ କୋଟି ୨୫ ଲକ୍ଷ ଟଙ୍କାର ତଣ୍ଡ ଗଣିବ । ହସ୍ପିଟାଲ ପକ୍ଷରୁ ଏହି ଅର୍ଥରାଶି କ୍ଷତିପୂରଣ ଭାବେ ମୃତକଙ୍କ ପରିବାରକୁ ଦିଆଯିବ । ଏନେଇ ଜାତୀୟ ଉପଭୋକ୍ତା ସୁରକ୍ଷା କୋର୍ଟ(NCPC) ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ସପ୍ତାହ ସୁଦ୍ଧା ସମ୍ପୃକ୍ତ ହସ୍ପିଟାଲ ଏହି ଅର୍ଥରାଶି ପ୍ରଦାନ କରିବେ ।

ସୂଚନା ମୁତାବକ, ୨୦୧୪ରେ ଡ. ଅରୁଣିମା ସେନଙ୍କ ମୃତ୍ୟୁ ଘଟିଥିଲା । ଅରୁଣିମା ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ ରୋଗରେ ପୀଡିତ ଥିଲେ । ଋତୁସ୍ରାବ ସମୟରେ ତାଙ୍କର ତଳି ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହେବାରୁ ଚିକିତ୍ସା ପାଇଁ ସେ କାର୍ଯ୍ୟ କରୁଥିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ତାଙ୍କୁ ଲୋପାରୋସ୍କୋପିକ ଡାଏ ଟେଷ୍ଟା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଏଥିରେ ଡାକ୍ତରାଣୀ ଅରାଜି ହୋଇଥିଲେ । କିନ୍ତୁ ଡାକ୍ତରଙ୍କ ଚାପରେ ପଡି ଶେଷରେ ସେ ରାଜି ହୋଇଥିବା ବେଳେ ଚିକିତ୍ସା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ମୃତ ଡାକ୍ତରାଣୀ ଅରୁଣିମାଙ୍କ ସ୍ବାମୀ ସୋମରାଜ ସେନ ଚିକିତ୍ସା ଅବହେଳାରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ହସ୍ପିଟାଲ କର୍ତ୍ତୃପକ୍ଷ ଓ ୭ ଜଣ ଡାକ୍ତରଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏହାସହିତ ସେ NCPCରେ ଏକ ମାମଲା ଦାୟର କରି କ୍ଷତିପୂରଣ ମାଗିଥିଲେ । କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ସମ୍ପୃକ୍ତ ଘରୋଇ ହସ୍ପିଟାଲ ଉପରେ ଜରିମାନା କରିଛନ୍ତି ।

ଅଦାଲତ ମୃତ ଡାକ୍ତରାଣୀଙ୍କ ପରିବାରକୁ ୧ କୋଟି ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆଇନଗତ ପ୍ରକ୍ରିୟା ଜନିତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଦେବାକୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ରାୟ ପରେ ମୃତକଙ୍କ ସ୍ବାମୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଏହି ରାୟ ସମ୍ପର୍କରେ ଜାଣିନଥିବା ଘରୋଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details